ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପାଠ୍ୟପୁସ୍ତକରେ ଶହ ଶହ ଭୁଲ୍ ବାହାରିବା ଘଟଣାକୁ ନେଇ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଏକ ପୋଷ୍ଟ କରି ଏହାକୁ ପ୍ରଶାସନିକ ଅବହେଳା ଏବଂ ଶିକ୍ଷା ପ୍ରତି ଦାୟିତ୍ୱହୀନତାର ଏକ ବଡ଼ ଉଦାହରଣ ବୋଲି କହିଛନ୍ତି। ବିରୋଧୀ ଦଳ ନେତା କହିଛନ୍ତି ଯେ, ବହିରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ନାଁ ଭୁଲ୍ ଲେଖିବା, ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ବୋଲି ଦର୍ଶାଇବା ଏବଂ ଅସଂଖ୍ୟ ବନାନ ଭୁଲ୍ ରହିବା କୌଣସି ସାଧାରଣ ଭୁଲ୍ ନୁହେଁ, ବରଂ ଏହା ଏକ ଗୁରୁତର ତ୍ରୁଟି। ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ଯେଉଁ ସରକାର ‘ଓଡ଼ିଆ ଅସ୍ମିତା’ର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ, ସେମାନେ ହିଁ ଆଜି ଓଡ଼ିଆ ଭାଷା ଏବଂ ସାହିତ୍ୟକୁ ସବୁଠାରୁ ବଡ଼ ଆଘାତ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ପିଲାମାନଙ୍କର ଗଠନମୂଳକ ବୟସରେ ସେମାନଙ୍କ ଶିକ୍ଷା ସହିତ ଖେଳୱାଡ୍ କରିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ ଏବଂ ଏହା ଏକ ଅକ୍ଷମଣୀୟ ଅପରାଧ। ଏହା ସହିତ ସରକାର ତୁରନ୍ତ ଏହି ଭୁଲ୍ ବହିଗୁଡ଼ିକୁ ବଦଳାଇ ପିଲାମାନଙ୍କୁ ଭୁଲ୍-ଶୂନ୍ୟ ନୂଆ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଏବଂ ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ପ୍ରଥମରୁ ୮ମ ଶ୍ରେଣୀ ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏସସିଇଆରଟି ର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ। ସେ କହିଛନ୍ତି ଯେ ଏବର୍ଷ ଆଉ ନୂଆ ବହି ଛପା ଯିବନି। ଶିକ୍ଷକ ମାନେ ସଂପୃକ୍ତ ପୁସ୍ତକକୁ ସଂଶୋଧନ କରି ପଢାଇବେ। ଆଗାମୀ ବର୍ଷ ସଂଶୋଧିତ ବହି ପ୍ରକାଶ କରି ପିଲାଙ୍କୁ ଦିଆଯିବ। ଆସନ୍ତା ବର୍ଷକୁ ଭୁଲ ହେବନି। ଏଥର ଭୁଲ ହୋଇଯାଇଛି, ଡିଇଓମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ସାରିଛୁ। ଛୋଟ ପିଲାଙ୍କ ବହିରେ ଶିକ୍ଷକମାନଙ୍କୁ ସଂଶୋଧନ କରିବାକୁ କୁହାଯାଇଛି। ବଡ଼ ପିଲା ଶିକ୍ଷକଙ୍କ ସାହାଯ୍ୟରେ ବହିରେ ନିଜେ ତ୍ରୁଟି ସଂଶୋଧନ କରିବେ। ୨୦୨୭-୨୮ ଶିକ୍ଷା ବର୍ଷରୁ ନୂଆ ବହି ଛପା ହେଲେ ଆଉ ଭୁଲ ରହିବନି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂହ। ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ ରହିଛି।

