ଯାଜପୁର/କ୍ରାନ୍ତିକ୍ଷେତ୍ର : ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସଭାପତିତ୍ୱରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଓ ଶିଶୁ ଶ୍ରମିକ ଉଛେଦ ସମ୍ବନ୍ଧୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିଶୁ ଶ୍ରମିକ ନିୟୋଜନକୁ ସମାଜ ବିରୋଧୀ ଦର୍ଶାଯାଇ, ସେମାନଙ୍କ ସୁସ୍ଥ ଭବିଷ୍ୟତ ଗଠନ ପାଇଁ ପିତାମାତା, ମାଲିକ ଓ ସରକାରୀ-ବେସରକାରୀ ସଂସ୍ଥାର ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର କୁମାର ସାହୁଙ୍କ ସୂଚନା ଅନୁସାରେ, ସହକାରୀ ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଟାସ୍କ ଫୋର୍ସର ଏକାଧିକ ଦଳ ବିଭିନ୍ନ କାର୍ଯ୍ୟସ୍ଥଳରେ ଚଢ଼ାଉ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର, ପ୍ରଭାଗୀୟ ଶ୍ରମ କମିଶନର ସତ୍ୟନାରାୟଣ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଚାଇଲ୍ଡ ଲାଇନ୍, ‘ରୁଚିକା’ ଓ ‘ଆସପାୟାର’ ଏନଜିଓର ପ୍ରତିନିଧିମାନେ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଶେଷରେ ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ସୁନ୍ଦର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

