ରାୟଗଡ଼ାରେ ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ ପାଳିତ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ସିକଲ୍ ସେଲ୍ ରୋଗର ପ୍ରାରମ୍ଭିକ ଚିହ୍ନଟ, ପ୍ରତିରୋଧ ଓ ନିରାକରଣ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ବଂଶାନୁକ୍ରମିକ ରୋଗର ପ୍ରକୋପ ଅଧିକ ଥିବାରୁ ପରିବାର ସ୍ତରରେ ସଚେତନତା, ବ୍ୟାପକ ସ୍କ୍ରିନିଂ ଓ ଜେନେଟିକ୍ କାଉନସେଲିଂ ଅତ୍ୟନ୍ତ ଜରୁରୀ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଭାରତ ସରକାରଙ୍କ ଜାତୀୟ ମିଶନ ଅଧୀନରେ ୨୦୪୭ ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ୍ଣ ଦୂର କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି ଅବସରରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀ ରୋଗ ନିରାକରଣ ପାଇଁ ସଂକଳ୍ପପୂର୍ଣ୍ଣ ଶପଥ ପାଠ କରିଥିଲେ। ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକ, ଗ୍ରାମ ଓ ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା ସଭା ଓ ସ୍କ୍ରିନିଂ ଶିବିର ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡା. ନଗେନ୍ଦ୍ର ନାଥ ମହାପାତ୍ରଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଡାକ୍ତର ଏବଂ ଏଏନଏମ୍ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *