କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : ଦେଶ ଭିତରେ ନୁହେଁ, ଏବେ ବିଦେଶ ମାଟିରେ ବି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କଦଳୀ। ଗତବର୍ଷ ଏହି ଅଞ୍ଚଳରୁ ଉତ୍ପାଦିତ କଦଳୀ ଦୁବାଇ ରପ୍ତାନି ହୋଇ ବେଶ୍ ଆଦୃତ ହୋଇଥିବା ବେଳେ, ଚଳିତ ବର୍ଷ ଜାପାନ ଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଲମପୁର ‘ତ୍ରିଲୋକେଶ୍ୱର କୃଷକ ଉତ୍ପାଦନ କମ୍ପାନୀ’ର ମ୍ୟାନେଜିଙ୍ଗ ଡାଇରେକ୍ଟର ସରତ ଚନ୍ଦ୍ର ମୁଣ୍ଡଙ୍କ ସୂଚନା ଅନୁସାରେ, କଲମପୁର ଅଞ୍ଚଳର ଜାମପଡ଼ା, ବାଲିଛଡ଼ା, ଇଚ୍ଛାପୁର, ସାଗବାରୀ, ଘର୍ଲା, ବରଗାଁ, ମଣ୍ଡଳ ଓ ଭାଲୁବୁଟ୍ରା ଆଦି ଗ୍ରାମର ପ୍ରାୟ ୧୮୦ ଏକର ଜମିରେ ଉଚ୍ଚମାନର ‘ଜି-ନାଇନ୍’ କିସମର କଦଳୀ ଚାଷ କରାଯାଇଛି। ଏହି କିସମର କଦଳୀର ଚାହିଦା ବଜାରରେ ବହୁତ ଅଧିକ ରହିଛି। ଚାଷୀମାନେ ଏଥିରୁ ଭଲ ଲାଭ ପାଉଥିବାରୁ କଦଳୀ ଚାଷ ପ୍ରତି ସେମାନଙ୍କର ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଛି। ଆଗାମୀ ଦିନରେ ଆହୁରି ଅଧିକ ଜମିରେ ଏହି ଚାଷ କରାଯିବାର ସମ୍ଭାବନା ରହିଛି। କଲମପୁର କଦଳୀର ସାମ୍ପୁଲ୍ ପରୀକ୍ଷା ପାଇଁ ଜାପାନ ପଠାଯାଇଥିଲା, ଯାହାକୁ ସେଠାରେ ସ୍ୱୀକୃତି ମିଳିସାରିଛି। ଆସନ୍ତା ସେପ୍ଟେମ୍ବର ମାସରୁ ବର୍ଷକ ମଧ୍ୟରେ ପ୍ରାୟ ୧ ହଜାର ଟନ୍ କଦଳୀ ଜାପାନ ପଠାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ସଫଳତା ପଛରେ ‘ନାବାର୍ଡ’ ର ପ୍ରତ୍ୟକ୍ଷ ସହଯୋଗ ରହିଥିବା ବେଳେ ‘ସିବିବିଓ ମହାଶକ୍ତି ଫାଉଣ୍ଡେସନ’ ତରଫରୁ ମଧ୍ୟ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି। ପ୍ରକାଶଯୋଗ୍ୟ ଯେ, ଉଦ୍ୟାନ କୃଷି ବିଭାଗରୁ ଅବସର ନେବା ପରେ ଶ୍ରୀମୁଣ୍ଡ ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ଯେଉଁ ପରିକଳ୍ପନା କରିଥିଲେ, ତାହା ଆଜି ସୁନା ଫଳାଇଛି। ତାଙ୍କର ଏହି ନିରବଚ୍ଛିନ୍ନ ଚେଷ୍ଟା କେବଳ ଚାଷୀଙ୍କ ହସ ଫେରାଇନି, ବରଂ କଲମପୁରକୁ ବିଶ୍ୱ କୃଷି ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

