ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଚିକିଲି ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଛି। କେବଳ ଇଟା, ପଥର କିମ୍ବା ଚୂନ-ସିମେଣ୍ଟର ଚାରିକାନ୍ଥରେ ବିଦ୍ୟାଳୟ ଗଢ଼ି ଉଠେନାହିଁ; ବରଂ ଗୁରୁଙ୍କ ଦିବ୍ୟ ଚେତନା, ବୌଦ୍ଧିକ ବିଚାର ଓ ତ୍ୟାଗପୂତ ସାଧନାରେ ହିଁ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠା ହୋଇଥାଏ। ଏହି ଭାବଧାରାକୁ ଆଧାର କରି ଆୟୋଜିତ ଏହି ଉତ୍ସବରେ ଜୀବନ ଗଠନର କାରିଗର ପୂଜ୍ୟ ଗୁରୁଜନମାନଙ୍କୁ ଭକ୍ତିପୂତ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଆୟୋଜିତ ସଭାରେ ସମ୍ମାନନୀୟ ମଳୟ ବାଗ ସଭାପତିତ୍ୱ କରିଥିବାବେଳେ ଚିତ୍ତରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା କରିଥିଲେ। ଏହି ଅବସରରେ ଅତିଥି ଭାବରେ ଅନୁଷ୍ଠାନର ପ୍ରତିଷ୍ଠାକାଳରୁ ନିଜର ଶ୍ରମ ଓ ସାଧନା ଢାଳିଥିବା ତଥା ଏ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ଜାଳି ଥିବା ବରିଷ୍ଠ ଶିକ୍ଷକ ତଥା ଶିକ୍ଷାବିତ୍ ସୁଧୀର ପଣ୍ଡା, ଧନମତ୍ ଧଙ୍ଗଡା ମାଝୀ, ସରଜୁ ପ୍ରସାଦ ସାହୁ, ନୂଆଖାଉ ସୁନାନୀ ଏବଂ ପଦ୍ମନ ସାହୁ ଯୋଗଦେଇ ନିଜ ନିଜର ବହୁମୂଲ୍ୟ ଅନୁଭୂତି ଓ ଆଶୀର୍ବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଗାୟତ୍ରୀ ଷଡ଼ଙ୍ଗୀ, ସରିତା ଧାରା ସାହୁ, କଳ୍ପନା ଶବର, ଦିବ୍ୟା ଶବର, ଏବଂ ଶିକ୍ଷକ ଦୁଲେଶ୍ୱର କୁମାର, ଶାରଦା ସାହୁ, ଭବାନୀ ଶଙ୍କର ଶବରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା କର୍ମଚାରୀବୃନ୍ଦ ସକ୍ରିୟ ଭାବେ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁବନ୍ଦନା ଗାନ ସହିତ ସମଗ୍ର ପରିବେଶ ଭକ୍ତିମୟ ଓ ଉତ୍ସବମୁଖର ହୋଇଉଠିଥିଲା। ପରିଶେଷରେ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ ହୋଇଥିଲା।