ତାରାପଦର ଗାଁକୁ ରାସ୍ତା ସାତସପନ : ନିଜେ ରାସ୍ତା ସଜାଡୁଛନ୍ତି ଯୁବକ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ତାରାପଦର ଗାଁକୁ ଯାତାୟାତ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ। ଗାଁକୁ ସବୁଦିନିଆ ଯାତାୟାତ ଉପଯୋଗୀ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଜନପ୍ରତିନିଧି ଓ ପ୍ରଶାସନଙ୍କ ନିକଟରେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଲଗାଣ ବର୍ଷା ଯୋଗୁଁ ଗାଁକୁ ସଂଯୋଗ କରୁଥିବା ରାସ୍ତାର ସୁଫେଲ ଝରନ ସମେତ ବିଭିନ୍ନ ସ୍ଥାନରେ ମାଟି ଧୋଇଯାଇଛି। ଫଳରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏପରିକି ସାଧାରଣ ବାଇକ୍‌ଟିଏ ମଧ୍ୟ ଗାଁକୁ ନେବା କଷ୍ଟକର ହୋଇପଡ଼ିଛି। ବର୍ଷା ସମୟରେ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହେଉଥିବାରୁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ପ୍ରଶାସନିକ ସ୍ତରରେ ସ୍ଥାୟୀ ସମାଧାନ ନହେବାରୁ ଗାଁର କିଛି ଯୁବକ ଏବେ ନିଜେ ରାସ୍ତା ସଜାଡ଼ିବାକୁ ଆଗେଇ ଆସିଛନ୍ତି। ବସନ୍ତ ନାଏକ, ଦଶରଥ ନାଏକ, ସାନୁର୍ଯ୍ୟ ନାଏକ, ବଳଦେବ ନାଏକ ଓ ମନସର ନାଏକଙ୍କ ସମେତ ଅନ୍ୟ ଯୁବକମାନେ ରାସ୍ତାରେ ମାଟି ଓ ପଥର ପକାଇ ଯାତାୟାତକୁ ସ୍ୱାଭାବିକ କରିବାରେ ଲାଗିଛନ୍ତି। ତାରାପଦର ଗାଁରେ ପ୍ରାୟ ୬୦ଟି ପରିବାର ବସବାସ କରୁଥିବା ବେଳେ ଗ୍ରାମବାସୀ ରାସ୍ତା ସମେତ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ରାସ୍ତା ଅବସ୍ଥା ଖରାପ ଥିବାରୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗାଁରେ ପହଞ୍ଚିବା କଷ୍ଟକର ହୋଇଥାଏ। ଏହାସହ ଗାଁରେ ବିଦ୍ୟୁତ ସୁବିଧା ମଧ୍ୟ ଅପର୍ଯ୍ୟାପ୍ତ ଥିବା ଗ୍ରାମବାସୀଙ୍କ ଅଭିଯୋଗ। ଗାଁର ଏହି ସମସ୍ୟାଗୁଡ଼ିକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମ ଜରିଆରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଉଦ୍ୟମ ହୋଇଥିବା କୁହାଯାଇଛି। ତଥାପି ସ୍ଥାୟୀ ରାସ୍ତା ନିର୍ମାଣ ଓ ଅନ୍ୟ ମୌଳିକ ସୁବିଧା ଯୋଗାଣ ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଦାବି, ତାରାପଦରକୁ ଏକ ସବୁଦିନିଆ ଓ ଯାତାୟାତ ଉପଯୋଗୀ ରାସ୍ତା ନିର୍ମାଣ ସହ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ବିଦ୍ୟୁତ ଭଳି ମୌଳିକ ସୁବିଧା ସୁନିଶ୍ଚିତ କରାଯାଉ। ଦୁର୍ଗମ ଅଞ୍ଚଳର ଏହି ଗାଁ ପ୍ରତି ପ୍ରଶାସନ ଗୁରୁତ୍ୱ ଦେଇ ଶୀଘ୍ର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *