ନାନ୍ଦୋଲଠାରେ ‘ନଶାମୁକ୍ତ ଯୁବ’ ସଚେତନତା କାର୍ଯ୍ୟକ୍ରମ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନସ୍ଥ ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ପକ୍ଷରୁ ‘ନଶାମୁକ୍ତ ଯୁବ’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡିର ନିର୍ଦ୍ଦେଶକ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ୩ ନମ୍ବର ଜୋନର ସଦସ୍ୟ ଲାଲ ବାହାଦୁର ଜାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ସ୍ବାସ୍ତିଦୀପ ଆଦିତ୍ୟ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡିର ପ୍ରୋଗ୍ରାମ ଅଫିସର କ୍ଷୀରମଣି କୁମ୍ଭାର ସଭାପତିତ୍ୱ କରିଥିଲେ।ଏହି ଅବସରରେ ସାମ୍ବାଦିକ ସପ୍ଟେଶ୍ୱର ପାଢ଼ୀ, ଲକ୍ଷ୍ମଣ ବଣୁଆ ଏବଂ ୪ ନମ୍ବର ୱାର୍ଡ ସଦସ୍ୟ ଚୈତନ୍ୟ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ମଧ୍ୟରେ ନଶାଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ନଶା ଯୁବପିଢ଼ିର ସ୍ୱାସ୍ଥ୍ୟ, ଶିକ୍ଷା, ପରିବାର ଓ ଭବିଷ୍ୟତକୁ ପ୍ରଭାବିତ କରୁଥିବାରୁ ଯୁବମାନଙ୍କୁ ନଶାଠାରୁ ଦୂରେଇ ରହି ଶିକ୍ଷା, ଦକ୍ଷତା ବିକାଶ, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟକଳାପ ସହ ଯୋଡ଼ି ହେବା ପାଇଁ ଆହ୍ୱାନ କରାଯାଇଥିଲା।କାର୍ଯ୍ୟକ୍ରମଟିକୁ ଧୀରେନ୍ଦ୍ର ସୁନାନୀ ପରିଚାଳନା କରିଥିଲେ। ଶେଷ ପର୍ଯ୍ୟାୟରେ ଉପସ୍ଥିତ ଅତିଥି ଓ ଯୁବମାନଙ୍କୁ ପ୍ରକୃତି ବନ୍ଧୁ ସମ୍ଭୁ ବିଶିଙ୍କ ଦ୍ୱାରା ନଶାମୁକ୍ତି ଶପଥ ପାଠ କରାଯାଇଥିଲା। ଶ୍ରୀ ବିଶି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଯୁବପିଢ଼ିଙ୍କୁ ନଶାମୁକ୍ତ ସମାଜ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ।“ନଶାକୁ ନା, ଜୀବନକୁ ହଁ – ନଶାମୁକ୍ତ ଯୁବ, ସଶକ୍ତ ଯୁବ” ବାର୍ତ୍ତା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *