କୋକସରା/କ୍ରାନ୍ତିକ୍ଷେତ୍ର : ଲଗାତାର ବର୍ଷା ପରେ ଗତ କିଛିଦିନ ହେଲା ଧର୍ମଗଡ଼ ଓ କୋକସରା ଅଞ୍ଚଳରେ ପ୍ରବଳ ଖରା ଓ ତାତି ଅନୁଭୂତ ହେଉଥିବାରୁ ଚାଷଜମି ଶୁଖିଲା ପଡି ମାଟି ଫାଟି ଆଁ କରିବାକୁ ବସିଲାଣି। ଏପଟେ ରାବଣଗୁଡ଼ା ସ୍ଥିତ କେନାଲ ଗେଟରୁ ତେଲ ଡିଷ୍ଟ୍ରିବ୍ୟୁଟାରୀକୁ କମ୍ ପାଣି ଛଡ଼ାଯାଉଥିବାରୁ ତଳମୁଣ୍ଡର ଅନେକ ଗ୍ରାମର ଚାଷଜମିକୁ ଆବଶ୍ୟକ ପାଣି ପହଞ୍ଚୁ ନଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଧର୍ମଗଡ଼ ବ୍ଲକର ବଡ଼ଘୁମର, ଆମ୍ବଗୁଡ଼ା, ମିର୍ଜାପୁର ସହ କୋକସରା ବ୍ଲକର ସର୍ଗିଗୁଡ଼ା ପିପଲପଡ଼ା, ଖୁଣ୍ଟିଆ, ଖପରାମାଲ ଆଦି ଗ୍ରାମର ଚାଷୀମାନେ ପାଣି ଅଭାବରେ ପ୍ରଭାବିତ ହେଉଥିବା କହିଛନ୍ତି। ବିଶେଷକରି ସର୍ଗିଗୁଡ଼ା ନିକଟରେ କେନାଲରେ ମୁନ୍ଦାଏ ପାଣି ନଥିବା ଅଭିଯୋଗ ହୋଇଛି। ଫଳରେ ଚାଷଜମି ଶୁଖିବା ସହ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏପଟେ ବଡ଼ଘୁମର ଶାଖା କେନାଲର ଅବସ୍ଥା ଶୋଚନୀୟ । କେନାଲ ମରାମତି କାମର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ସ୍ଥାନରେ କେନାଲର ଅବସ୍ଥା ଭଲ ରହିଛି ସେଠାରେ ମରାମତି କାମ ଚାଲିଥିବା ବେଳେ ଅଧିକ କ୍ଷତିଗ୍ରସ୍ତ ସ୍ଥାନରେ ଆବଶ୍ୟକ କାମ କରାଯାଉନାହିଁ। ତେବେ ତେଲ ଦିଷ୍ଟ୍ରିବ୍ୟୁଟାରି କେନାଲ ଉପରେ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ନିର୍ଭରଶୀଳ ଥିବାବେଳେ ଆବଶ୍ୟକ ସମୟରେ କେନାଲ ପାଣି ନ ମିଳିଲେ ଚଳିତ ଖରିଫ ଚାଷ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ତୁରନ୍ତ ପର୍ଯ୍ୟାପ୍ତ ପାଣି ଛାଡ଼ିବା ସହ କେନାଲର ଆବଶ୍ୟକ ମରାମତି କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଧର୍ମଗଡ଼ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ଷା ହେଉଥିବା କାରଣରୁ ଗତ କିଛିଦିନ ଧରି କେନାଲରେ କମ୍ ପାଣି ଛଡ଼ାଯାଉଥିଲା। ଏବେ ବର୍ଷା କମିଥିବାରୁ କେନାଲରେ ଅଧିକ ପାଣି ଛଡ଼ାଯିବ। ଫଳରେ ସବୁ ଜମିକୁ ପାଣି ପାଣି ପହଞ୍ଚିବ। ବିଭାଗୀୟ ଅଧିକାରୀଙ୍କ ଏହି ପ୍ରତିକ୍ରିୟା ପରେ ପାଣି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଚାଷୀମାନେ ଆଶା ରଖିଛନ୍ତି। କେନାଲର ଦୁର୍ବଳ ଓ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକର ମରାମତି ସହ ନିୟମିତ ଜଳ ଯୋଗାଣ ଉପରେ ବିଭାଗ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଚାଷୀମାନେ କହିଛନ୍ତି।
