କର୍ଲାପାଟ ଖଣ୍ଡୁଆଳ ମାଳି ବକ୍ସାଇଟ ଖନନ ବିରୋଧରେ ଦାନା ବାନ୍ଧୁଛି ଆନ୍ଦୋଳନ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଅଞ୍ଚଳର ଖଣ୍ଡୁଆଳ ମାଳିରୁ ବକ୍ସାଇଟ ଖନନକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ ଜାରି ରହିଛି। ଏହାକୁ ନେଇ ଅଞ୍ଚଳବାସୀ ସଂଗଠିତ ହେଉଥିବା ବେଳେ ଆଜି  କର୍ଲାପାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମଠାଗୁଡାଠାରେ ଶତାଧିକ ଆନ୍ଦୋଳନକାରୀ ଏକତ୍ରିତ ହୋଇଥିଲେ। ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି, କଳାହାଣ୍ଡି ଏବଂ ମା’ ମାଟି ମାଳି ସୁରକ୍ଷା ସମିତି, ରାୟଗଡ଼ା-କଳାହାଣ୍ଡି ପକ୍ଷରୁ ଖଣି ଲିଜ୍ ବାତିଲ ଦାବିରେ ରାଲି ଓ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଖଣ୍ଡୁଆଳ ମାଳି ପାଇଁ ଦିଆଯାଇଥିବା ଖଣି ଲିଜ୍ ବାତିଲ କରିବାକୁ ଦାବି କରାଯାଇଥିଲା। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବୈଠକରେ ଉପସ୍ଥିତ ଆନ୍ଦୋଳନକାରୀମାନେ କହିଥିଲେ। ଏହି ବୈଠକରେ କର୍ଲାପାଟ ସରପଞ୍ଚ ବିଶ୍ୱନାଥ ମାଝୀ, ପୂର୍ବତନ ସରପଞ୍ଚ ରାମ ମାଝୀ, ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି, ପୋଲିଙ୍ଗପଦରର ସଭାପତି କାର୍ତ୍ତିକ ମାଝୀ, ନାକୁରୁଣ୍ଡିର ପୂର୍ବତନ ସମିତି ସଭ୍ୟ ସାନୁ ମାଝୀ, ତଲାମପଦର ମା’ ମାଟି ସୁରକ୍ଷା ମଞ୍ଚର ସଭାପତି ଲାଇ ମାଝୀ, ଲକ୍ଷ୍ମଣ ନାଏକ, ହୃଷିକେଶ ମାଝୀ, ପୋଲିଙ୍ଗପଦରର ରାମକୃଷ୍ଣ ମାଝୀ, ସାମାଜିକ କର୍ମୀ ଧୋବା ସାହୁ, କାଣିଗୁମାର ଉପେନ୍ଦ୍ର ନାଏକଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ। କର୍ଲାପାଟ ସମେତ ବଡଟିକ୍ରାଗୁଡା, ଭେଜିଗୁଡା, ଅମଠାଗୁଡା, କୁଆଙ୍ଗ, ଜିଲାଗାଁ, ପୁରୁଣାଗୁମା, କୁକୁରଭୁର୍ସି, କରଡାପଦର, ବାରିଗୁଡା, ପେରମଞ୍ଜି, ପୋଲିଙ୍ଗପଦର, ସାଇସୁରୁଣୀ, ତଲାମପଦର ଓ ଆମଝୋଲା ସମେତ ପ୍ରାୟ ୨୦ଟି ଗାଁରୁ ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଖଣି ଲିଜ୍ ବାତିଲ ଦାବିକୁ ନେଇ ଆୟୋଜିତ ଏହି ସମାବେଶ ପରେ ଖଣ୍ଡୁଆଳ ମାଳି ବକ୍ସାଇଟ ଖନନ ପ୍ରସଙ୍ଗରେ ଅଞ୍ଚଳବାସୀଙ୍କ ଆନ୍ଦୋଳନ ଆଗକୁ କେଉଁ ରୂପ ନେବ, ତାହା ଉପରେ ଏବେ ନଜର ରହିଛି।

Leave a Reply

Your email address will not be published. Required fields are marked *