କୋକସରା/କ୍ରାନ୍ତିକ୍ଷେତ୍ର : କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ସରିବା ପରେ କଳାହାଣ୍ଡିର ଗ୍ରାମ୍ୟ ସଂସ୍କୃତିରେ ଆରମ୍ଭ ହୋଇଯାଇଛି ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମ। ପ୍ରୀୟଜନଙ୍କୁ ସାକ୍ଷାତ କରି ଭଲମନ୍ଦ ପଚାରିବା ଏବଂ ପରସ୍ପରକୁ ସମ୍ମାନ ପ୍ରଦର୍ଶନ କରିବାର ଏହି ମହାର୍ଘ୍ୟ ମୁହୂର୍ତ୍ତ ସମାଜରେ ଏକ ସ୍ୱତନ୍ତ୍ର ମାଦକତା ସୃଷ୍ଟି କରିଥାଏ। ଏହି କ୍ରମରେ କୋକସରା ବ୍ଳକ ଚିଲିଗୁଡା ସ୍ଥିତ ବ୍ଳକ ଯାଦବ ଭବନ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଯାଦବ ସମିତିର ସଭାପତି ଦ୍ବାରୀକାନାଥ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଦିନର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ କିଭଳି ସୁଚାରୁରୂପେ ଏବଂ ବ୍ୟାପକ ଭାବରେ ଆୟୋଜନ କରାଯିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ବିଭିନ୍ନ ଆଞ୍ଚଳିକ ଯାଦବ କର୍ମକର୍ତ୍ତା, ଯୁବ ଓ ମହିଳା ଯାଦବ, ଯାଦବ କର୍ମଚାରୀ ସଂଘ, ଏବଂ ବହୁ ଯାଦବ ପ୍ରେମୀ ଯୋଗଦେଇ ନିଜ ନିଜର ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ।
