ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ଧର୍ମଗଡ଼ ସହରର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଧ୍ବଜ ଲହଜଲଙ୍କ ପିତା ନୂଆଖାଉ ଲହଜଲଙ୍କର ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ରହି ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ନୂଆଖାଉ ଲହଜଲ ଜଣେ ଧର୍ମପରାଣ, ପରୋପକାରୀ ଓ ସରଳ ସ୍ବଭାବର ବ୍ୟକ୍ତି ଥିଲେ। ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶେଷ ସମୟରେ ପୁଅ, ବୋହୂ, ଝିଅ, ଜ୍ବାଇଁ ଏବଂ ନାତିନାତୁଣୀଙ୍କ ସମେତ ବହୁ ବନ୍ଧୁପରିଜନ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୁଅ ଚନ୍ଦ୍ରଧ୍ବଜ ଓ ନାତି ଅଂଶୁମାନ ମୁଖାଗ୍ନୀ ଦେଇଥିବା ବେଳେ କାଶିବାହଲ ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
