କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନା ପୋଲିସ ଆନୁକୂଲ୍ୟରେ ଉଡୁବିଲିକା ଗ୍ରାମରେ ନଶାମୁକ୍ତ ଭାରତ, ସଡ଼କ ସୁରକ୍ଷା, ସାଇବର ସୁରକ୍ଷା ଓ ପୋକ୍ସୋ ଆଇନ ସମ୍ପର୍କିତ ଏକ ବିଶେଷ ସଚେତନତା ସଭା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇନ୍ସପେକ୍ଟର ମହେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଶାଦ୍ରବ୍ୟର କୁପ୍ରଭାବ, ଗଞ୍ଜେଇ ଚାଷରୁ ଦୂରେଇ ରହିବା, ସାଇବର ଠକେଇ ଓ ଅପରାଧରୁ ନିଜକୁ ସୁରକ୍ଷିତ ରଖିବାର ବିଭିନ୍ନ ଉପାୟ, ଟ୍ରାଫିକ୍ ନିୟମ ପାଳନ ଏବଂ ଶିଶୁମାନଙ୍କ ସୁରକ୍ଷା ପାଇଁ ପୋକ୍ସୋ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ନଶାଦ୍ରବ୍ୟର ବ୍ୟବହାର ଯୁବପିଢ଼ି ଓ ସମାଜ ଉପରେ ଗଭୀର ପ୍ରଭାବ ପକାଉଥିବାରୁ ଏହାକୁ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି ସାଇବର ଠକେଇରୁ ବର୍ତ୍ତିବା ପାଇଁ ଅଜଣା ଲିଙ୍କରେ କ୍ଲିକ୍ ନକରିବା, ଓଟିପି ଓ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ କାହାକୁ ନଦେବା ଏବଂ ଯାନବାହନ ଚଳାଚଳ ସମୟରେ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ରାମର ବହୁ ଭଦ୍ରବ୍ୟକ୍ତିଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତେ ଗଞ୍ଜେଇ ଚାଷ ନକରିବା, ନଶାଦ୍ରବ୍ୟରୁ ଦୂରେଇ ରହିବା ଏବଂ ଏକ ନଶାମୁକ୍ତ ସମାଜ ଗଠନ ପାଇଁ ସମବେତ ଭାବେ ଶପଥ ପାଠ କରିଥିଲେ। ଗ୍ରାମସ୍ତରରେ ଏଭଳି ସଚେତନତା କାର୍ଯ୍ୟକ୍ରମ ନଶା ନିବାରଣ ସହ ସୁରକ୍ଷିତ ଓ ସଚେତନ ସମାଜ ଗଠନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
