କଠିନ ବର୍ଜ୍ୟବସ୍ତୁ ନିୟମ ନେଇ ସଚେତନତା ସଭା, ସ୍ୱଚ୍ଛତା ପ୍ରତି ସମସ୍ତଙ୍କୁ ଆହ୍ୱାନ

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତର ମଲିକୁଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କଠିନ ବର୍ଜ୍ୟବସ୍ତୁ ନିୟମ, ୨୦୨୬ ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବି.ଆର୍.ସି.ସି. ଅର୍ଜୁନ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରାମଚନ୍ଦ୍ର ତାଣ୍ଡି ଯୋଗଦେଇ ବର୍ଜ୍ୟବସ୍ତୁ ପରିଚାଳନା, ପରିବେଶ ସୁରକ୍ଷା ଓ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱାମିତ୍ର କହଁରଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ଘର, ବିଦ୍ୟାଳୟ ଓ ସାର୍ବଜନୀନ ସ୍ଥାନରେ ଅଳିଆ ଆବର୍ଜନା ଏଣେତେଣେ ନ ପକାଇବା, ବର୍ଜ୍ୟବସ୍ତୁକୁ ଠିକ୍ ଭାବେ ସଂଗ୍ରହ ଓ ପରିଚାଳନା କରିବା ସହ ପରିବେଶକୁ ପରିଷ୍କାର ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ବିଶେଷକରି ଛାତ୍ରଛାତ୍ରୀମାନେ ସ୍ୱଚ୍ଛତାର ବାର୍ତ୍ତାକୁ ନିଜ ପରିବାର ଓ ସମାଜରେ ପହଞ୍ଚାଇବା ସହ ସ୍ୱଚ୍ଛ ପରିବେଶ ଗଠନରେ ସକ୍ରିୟ ଭୂମିକା ନେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ସ୍ୱଚ୍ଛତା କେବଳ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ବିଭାଗର ଦାୟିତ୍ୱ ନୁହେଁ, ବରଂ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ବିଦ୍ୟାଳୟ ସ୍ତରରୁ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି ହେଲେ ଏହାର ସୁଦୂରପ୍ରସାରୀ ପ୍ରଭାବ ସମାଜ ଉପରେ ପଡ଼ିବ ବୋଲି ଅତିଥିମାନେ କହିଥିଲେ। ସଭା ମାଧ୍ୟମରେ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଏକ ସଚେତନତାମୂଳକ ବାର୍ତ୍ତା ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *