କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ଚକ୍ଷୁ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ବାଉଁଶୁଣୀଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ନମ୍ରତା ଫାଉଣ୍ଡେସନ୍, ବାଉଁଶୁଣୀ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁରଙ୍କ ମିଳିତ ଆନୁକୂଲ୍ୟରେ ବାଉଁଶୁଣୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ଆଖପାଖ ଗ୍ରାମର ବହୁସଂଖ୍ୟକ ଲୋକ ଯୋଗଦେଇ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ। ଶିବିରରେ ଉପସ୍ଥିତ ଚକ୍ଷୁ ବିଶେଷଜ୍ଞ ଓ କର୍ମଚାରୀମାନେ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିବା ସହ ଆବଶ୍ୟକ ଅନୁଯାୟୀ ଚିକିତ୍ସା ପରାମର୍ଶ ଓ ଔଷଧ ବ୍ୟବହାର ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ଚକ୍ଷୁ ପରୀକ୍ଷା ପରେ ଯେଉଁ ରୋଗୀମାନଙ୍କ ପାଇଁ ଚଷମା ଆବଶ୍ୟକ ଥିଲା, ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଶିବିରରେ ଚିହ୍ନଟ ହୋଇଥିବା ମୋତିଆବିନ୍ଦୁ ରୋଗୀମାନଙ୍କୁ ପଣ୍ଡାପାଲିସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ ସମ୍ପୂର୍ଣ୍ଣ ମାଗଣାରେ ଅପରେସନ୍ କରାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପ ଯୋଗୁଁ ଆର୍ଥିକ ଦୁର୍ବଳ ଓ ଦୂରଦୂରାନ୍ତର ଗ୍ରାମାଞ୍ଚଳର ଲୋକମାନେ ଚକ୍ଷୁ ଚିକିତ୍ସା ପାଇବାର ସୁଯୋଗ ପାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ସେବାମୂଳକ ମନୋଭାବ ନେଇ ଆୟୋଜିତ ଏହି ଶିବିରରେ ନମ୍ରତା ଫାଉଣ୍ଡେସନର ସଦସ୍ୟମାନେ, ବାଉଁଶୁଣୀ ପଞ୍ଚାୟତ ସମିତି ସଦସ୍ୟ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟର କର୍ମଚାରୀବୃନ୍ଦ ଉପସ୍ଥିତ ରହି ରୋଗୀଙ୍କ ପଞ୍ଜୀକରଣ, ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇବାରେ ସହଯୋଗ କରିଥିଲେ। ଗ୍ରାମାଞ୍ଚଳରେ ଏଭଳି ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଆୟୋଜନ ଦ୍ୱାରା ଅନେକ ଲୋକ ସମୟୋପଯୋଗୀ ଚିକିତ୍ସା ପାଇବା ସହ ଚକ୍ଷୁ ସମସ୍ୟାକୁ ଅବହେଳା ନକରି ନିୟମିତ ଚକ୍ଷୁ ପରୀକ୍ଷା କରାଇବା ପାଇଁ ମଧ୍ୟ ସଚେତନ ହୋଇଥିବା ଦେଖାଯାଇଛି। ଆୟୋଜକମାନଙ୍କ ଏହି ସେବାମୂଳକ ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଜନକଲ୍ୟାଣମୂଳକ ସ୍ୱାସ୍ଥ୍ୟ ଶିବିର ନିୟମିତ ଭାବେ ଆୟୋଜନ କରାଯିବାକୁ ମତ ପ୍ରକାଶ କରିଛନ୍ତି।
