ବିଭିନ୍ନ ଶିକ୍ଷାନୁଷ୍ଠାନ କୁ ବରିଷ୍ଠ ଅଧିକାରୀଙ୍କ ଆକସ୍ମିକ ପରିଦର୍ଶନ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଖାଦ୍ୟ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ ନିୟମିତ ତଦାରଖ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପାପଡ଼ାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ଦଳେଇଗୁଡ଼ା ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମାନ ଆକସ୍ମିକ ପରିଦର୍ଶନ କରିଥିଲେ। ତାଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ କପିଳଦେବ ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଡି.ପି.ଓ) ହିମାଂଶୁ ଶେଖର ପଟ୍ଟନାୟକ ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ଅଧିକାରୀମାନେ ଏସଏସଡି ଆବାସିକ ବିଦ୍ୟାଳୟରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତା, ପରିମାଣ ଓ ପରିଚ୍ଛନ୍ନତା ଯାଞ୍ଚ କରିଥିଲେ। ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ସମୟରେ ଆବଶ୍ୟକ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟକର ପରିବେଶ ବଜାୟ ରହୁଛି କି ନାହିଁ, ତାହା ମଧ୍ୟ ଅନୁଧ୍ୟାନ କରାଯାଇଥିଲା।ଏଥିସହ ବିଦ୍ୟାଳୟରେ ଉପଲବ୍ଧ ଚାଉଳ, ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଷ୍ଟକ୍‌ ସ୍ଥିତି ଯାଞ୍ଚ କରାଯାଇଥିଲା। ଏବେ ବାତ୍ୟା ପାଇଁ ମହଜୁଦ ଖାଦ୍ୟ ସାମଗ୍ରୀର ପରିମାଣ, ସଂରକ୍ଷଣ ପ୍ରଣାଳୀ ଓ ରେକର୍ଡ ସମ୍ପର୍କରେ ଅଧିକାରୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ନେଇଥିଲେ। ପରିଦର୍ଶନ ଅବସରରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଗୁଣାତ୍ମକ, ପୁଷ୍ଟିକର ଓ ସୁରକ୍ଷିତ ଖାଦ୍ୟ ଯୋଗାଇବା ପାଇଁ ଓ ଖାଦ୍ୟ ସାମଗ୍ରୀର ଯଥାଯଥ ସଂରକ୍ଷଣ ଓ ଷ୍ଟକ୍‌ ରେକର୍ଡ ନିୟମିତ ଭାବେ ଅଦ୍ୟତନ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ କଲ୍ୟାଣ, ଉତ୍ତମ ଶିକ୍ଷା ପରିବେଶ, ପୁଷ୍ଟିକର ଖାଦ୍ୟ ଓ ଆବଶ୍ୟକ ସମସ୍ତ ସୁବିଧା ଯୋଗାଇବା ଓ ତଦାରଖ ଓ ଅନୁଧ୍ୟାନ ସବୁବେଳେ ଜାରି ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *