‘ଆଙ୍ଗନ କା ଉତ୍ସବ’ ଶୁଭାରମ୍ଭ-କଳାହାଣ୍ଡି ଜିଲ୍ଲାର ୨୩୭୭ ଅଙ୍ଗନବାଡ଼ି କେନ୍ଦ୍ରରେ ଉତ୍ସବମୁଖର ପରିବେଶ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ‘ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହେଉଛି। ଜିଲ୍ଲାର ୧୪ଟି ପ୍ରକଳ୍ପ ଅଧୀନରେ ଥିବା ୨୩୭୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଉତ୍ସବ ଆୟୋଜନ କରାଯାଉଛି। ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସୁନ୍ଦର ଭାବେ ସଜାଯାଇ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା’ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ବିଭିନ୍ନ ସଚେତନତାମୂଳକ ଓ ପୁଷ୍ଟି ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରାଯାଉଛି। ସ୍ଥାନୀୟ ଭାବେ ଉପଲବ୍ଧ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଓ ଫଳମୂଳର ପ୍ରଦର୍ଶନୀ ସହିତ ଶିଶୁମାନଙ୍କ ପାଇଁ ଆନନ୍ଦଦାୟକ ଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଅଭିଭାବକମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରର ବିଭିନ୍ନ ସେବା, ଶିଶୁଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ, ବୃଦ୍ଧି ଓ ବିକାଶ ସମ୍ପର୍କରେ ସଚେତନ କରାଯାଉଛି। ଏଥିସହ ପୋଷଣ, ପୂର୍ବ-ପ୍ରାଥମିକ ଶିକ୍ଷା, ନିୟମିତ ଓଜନ ଓ ଉଚ୍ଚତା ମାପ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସରକାରୀ ଯୋଜନାଗୁଡ଼ିକର ସୁଫଳ ସମ୍ପର୍କରେ ମଧ୍ୟ ହିତାଧିକାରୀଙ୍କୁ ଅବଗତ କରାଯାଉଛି। ‘ଆଙ୍ଗନ କା ଉତ୍ସବ’ର ଏକ ଅଭିନବ ଆକର୍ଷଣ ଭାବେ ପୁଷ୍ଟିକର ରେସିପି ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏଥିରେ ପୁରୁଷମାନଙ୍କୁ ସକ୍ରିୟ ଭାବେ ସାମିଲ କରାଯାଇ ସେମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନୀୟ ଓ ପୁଷ୍ଟିକର ରେସିପି ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଉଛି। ଏହା ମାଧ୍ୟମରେ ପରିବାରର ପୁଷ୍ଟି ଓ ଶିଶୁଙ୍କ ସୁସ୍ଥ ବିକାଶରେ ପୁରୁଷମାନଙ୍କ ଭୂମିକା ଏବଂ ସହଭାଗିତାକୁ ପ୍ରୋତ୍ସାହିତ କରାଯାଉଛି। ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀମାନଙ୍କୁ ୨୯ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ର ସ୍ତରରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ପ୍ରମାଣପତ୍ରରେ ଜିଲ୍ଲାପାଳ, କଳାହାଣ୍ଡିଙ୍କ ସ୍ୱାକ୍ଷର ରହିବ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶାଙ୍କ ମାର୍ଗଦର୍ଶନରେ ଏବଂ  ଅଜୟ ବିହାରଙ୍କ ସମନ୍ୱୟରେ ସମସ୍ତ ୧୪ଟି ପ୍ରକଳ୍ପର ସିଡିପିଓ, ସୁପର ଭାଇଜର,  ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା ଓ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟମାନେ ଉତ୍ସବକୁ ସଫଳ କରିବାରେ ସକ୍ରିୟ ଭୂମିକା ନେଉଛନ୍ତି। ‘ଆଙ୍ଗନ କା ଉତ୍ସବ’ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁ ଓ ଅଭିଭାବକଙ୍କ ପାଇଁ ଅଧିକ ଆକର୍ଷଣୀୟ, ଶିଶୁ-ଅନୁକୂଳ ଓ ପୁଷ୍ଟିମୟ ପରିବେଶରେ ପରିଣତ କରିବା ସହିତ ସମୁଦାୟର ସହଭାଗିତା ବୃଦ୍ଧି କରିବା ଏହାର ମୁଖ୍ୟ ଲକ୍ଷ୍ୟ।

Leave a Reply

Your email address will not be published. Required fields are marked *