ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା : ୩୭୫ ଜଣ ତୀର୍ଥଯାତ୍ରୀଙ୍କ ପୁରୀ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଅଭିଳାଷ ପୂରଣ ତଥା ଆର୍ଥିକ ଅନଗ୍ରସରତା, ବୟସ କିମ୍ବା ଦୂରତା ଯେପରି ମହାପ୍ରଭୁଙ୍କ ଦର୍ଶନରେ ବାଧକ ନହୁଏ, ସେହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷରେ ଆଜି ଜିଲ୍ଲାର ସମସ୍ତ ବ୍ଲକ ରୁ ୩୭୫ ଜଣ ତୀର୍ଥ ଯାତ୍ରୀ ପୁରୀ ଅଭିମୁଖେ ୧୧ ଟି ଶୀତତାପ ନିୟନ୍ତ୍ରିତ ବସରେ ଯାତ୍ରା କରିଛନ୍ତି। ଏହି ଯୋଜନାରେ ୬୦ରୁ ୭୫ ବର୍ଷ ବୟସର ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ରାଜ୍ୟସ୍ତରୀୟ ଶୁଭାରମ୍ଭ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ଆଭାସୀ ମାଧ୍ୟମରେ ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟଲୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାର ୩୭୫ ଜଣ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ଆଜି ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ସହ ନିର୍ଦ୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ତହସିଲଦାର କ୍ଷୀରୋଦ ନାଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କହଁର, ଡିପିଇ ଓ ରୂପ ସିଂ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ତୀର୍ଥଯାତ୍ରୀଙ୍କ ବସକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହ ସେମାନଙ୍କ ଆରାମଦାୟକ ଏବଂ ସୁରକ୍ଷିତ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। ତୀର୍ଥଯାତ୍ରୀ ମାନଙ୍କ ସହିତ ୧୧ ଜଣ ଏସକର୍ଟ ଅଧିକାରୀ ,୨ ଜଣ ପାରାମେଡିକ ଷ୍ଟାଫ ପୁରୀ ଅଭିମୁଖେ ଗସ୍ତ କରିଛନ୍ତି। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଯାତ୍ରା ପୂର୍ବରୁ ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Leave a Reply

Your email address will not be published. Required fields are marked *