ନଦୀରେ ଭାସିଯାଇଥିବା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବତାସୀଗୁଡା ଗାଁରେ ଲଘୁଚାପଜନିତ ଲଗାଣ ବର୍ଷାରେ ଗାଇଧାର ନଦୀରେ ଭାସିଯାଇଥିବା ବୃଦ୍ଧାଙ୍କ ମୃତଦେହ ଛଅ ଦିନ ପରେ ଗାଁ ନିକଟ ନଦୀକୂଳରୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଭାମା ପାତ୍ର (୭୦)। ସେ ବତାସୀଗୁଡା ଗାଁର ମନୋହର ପାତ୍ରଙ୍କ ପତ୍ନୀ। ଗତ ୨୪ ତାରିଖ ଗୁରୁବାର ଅପରାହ୍ନ ପ୍ରାୟ ଚାରିଟା ସମୟରେ ସେ ଗାଇଧାର ନଦୀ ନିକଟକୁ ଶୌଚ ହେବାକୁ ଯାଇଥିଲେ। ଏନେଇ ଜୟପାଟଣା ଥାନାରେ ଏକ ନିଖୋଜ ଅଭିଯୋଗ ହୋଇଥିଲା। ଆଜି ୬ ଦିନ ପରେ ଗାଁ ନିକଟସ୍ଥ ଗାଇଧାର ନଦୀର କୂଳରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତା ଙ୍କ ଦୁଇ ପୁଅ ଗିରିଧାରୀ ପାତ୍ର ଓ ବନମାଳୀ ପାତ୍ର ଶବ ଦେଖି ସରପଞ୍ଚଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଉମାଶଙ୍କର ଧଙ୍ଗଡାମାଝୀ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ମୃତଦେହକୁ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଜୟପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *