କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ କଲମପୁର ତଳପଡାରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ମହିଳା ଜଣକ ହେଲେ ଦୀପାଞ୍ଜଳି ନିମୁନିଆ। ଏହା ଆତ୍ମହତ୍ୟା ନୁହେଁ, ବରଂ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଝିଅର ବାପଘର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପ୍ରାୟ ୪ ବର୍ଷ ତଳେ ବକ୍ସିତୁଳସୀପାଲି ଗ୍ରାମର ଦୀପାଞ୍ଜଳିଙ୍କ ବିବାହ କଲମପୁର ଲଙ୍କେଶ୍ୱରୀ ମନ୍ଦିର ନିକଟସ୍ଥ ଅଲେଖ ନିମୁନିଆଙ୍କ ସହ ହୋଇଥିଲା। ରବିବାର ସକାଳ ପ୍ରାୟ ୭ଟା ସମୟରେ ଦୀପାଞ୍ଜଳି ଆତ୍ମହତ୍ୟା କରିଥିବା ନେଇ ଝିଅର କାକା ଧର୍ମରାଜ ପୁଝାରୀ ଓ ମା’ ପଙ୍କଜିନୀ ପୁଝାରୀ ଖବର ପାଇଥିଲେ। ଖବର ପାଇ ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘର ଭିତରେ ଦୀପାଞ୍ଜଳିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଝିଅକୁ ହତ୍ୟା କରିବା ପରେ ଏଭଳି ଝୁଲାଇ ଦିଆଯାଇଥିବା ନେଇ ମୃତକଙ୍କ କାକୀ ମାଧବ ପୁଝାରୀ କଲମପୁର ପୋଲିସ ନିକଟରେ ସଙ୍ଗିନ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଘଟଣାସ୍ଥଳରେ କଲମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ କଲମପୁର ଥାନା ଅଧିକାରୀ ସୁନିଲ କଣ୍ଡାଗରୀ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା କଲମପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଘଟଣା ସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
