ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଓ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ତିଜିମାଳି ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ନେଇ ଆତଙ୍କ ଦେଖାଦେଇଛି। ଶୁକ୍ରବାର ରାତିରେ ହାତୀ ଗାଁ ମଧ୍ୟକୁ ପଶି ଚାଷଜମି, ବାଡ଼ବଗିଚା ନଷ୍ଟ କରିବା ସହ ଗୋଟିଏ ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଥୁଆମୂଳ ରାମପୁର ବ୍ଲକ କେରପାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଜିମାଳି ପାଦଦେଶର ତାରାମୁଣ୍ଡି ଗାଁରେ ଏହି ଘଟଣା ଘଟିଛି। ହାତୀ ଗାଁର ଗୋପାଳ ମାଝୀଙ୍କ ଚାଳଛପର ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗୋପାଳ ମାଝୀ ଗାଁଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ବାଡ଼ବଗିଚା ମଧ୍ୟରେ ନିଜ ଚାଳଛପର ଘରେ ରହୁଥିଲେ। ତେବେ ପ୍ରାୟ ତିନି ମାସ ହେବ ସେ କାମଧନ୍ଦା ଅନ୍ୱେଷଣରେ କେରଳକୁ ଦାଦନ ଖଟିବାକୁ ଯାଇଛନ୍ତି। ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମଧ୍ୟ ରାତିରେ ଏକାକୀ ରହିବା ନିରାପଦ ନୁହେଁ ବୋଲି ଗାଁର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିବାରୁ ବଡ଼ ଅଘଟଣରୁ ରକ୍ଷା ପାଇଥିବା ଗ୍ରାମବାସୀ କହିଛନ୍ତି। ଗୋପାଳ ଓ ଲକ୍ଷ୍ମୀ ଉଭୟେ ଯଦି ସେହି ଘରେ ରାତିରେ ଶୋଇଥାନ୍ତେ, ତେବେ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଥାନ୍ତା ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କ ଫସଲ ଓ ବାଡ଼ବଗିଚାରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ତିଜିମାଳି ପାହାଡର କେରପାଇ ଅଞ୍ଚଳ ସମେତ ସୁଙ୍ଗେର ପଞ୍ଚାୟତର ଅନେକ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ତୁରନ୍ତ ବନ ବିଭାଗ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଭାବିତ ପରିବାରଙ୍କୁ ନିୟମାନୁସାରେ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
