ଗୋଲାମୁଣ୍ଡାରେ ଚତୁର୍ଥ ଦିନରେ ଗଣଧାରଣା ପ୍ରତ୍ୟାହୃତ

ଗୋଲାମୁଣ୍ଡା/ କ୍ରାନ୍ତିକ୍ଷେତ୍ର : ତିନିଟି ପ୍ରମୁଖ ସ୍ଥାନରେ ଅଣ୍ଡରପାସ ନିର୍ମାଣ ଦାବିକୁ ନେଇ ଗୋଲାମୁଣ୍ଡାରେ ଚାରି ଦିନ ଧରି ଚାଲିଥିବା ଗଣଧାରଣାରେ ସୋମବାର ପଡ଼ିଛି ବିରାମ। ଧାରଣାସ୍ଥଳରେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ପ୍ରଶାସନ ପକ୍ଷରୁ ମିଳିଥିବା ଆଶ୍ୱାସନକୁ ଗ୍ରହଣ କରି ଜନସଂଗ୍ରାମ ସମିତି ଧାରଣା ପ୍ରତ୍ୟାହାର କରିଛି।ବିଜୁ ଏକ୍ସପ୍ରେସ୍ ୱେ ଯୋଗୁଁ ଅଞ୍ଚଳବାସୀଙ୍କ ଯାତାୟାତ, ଛାତ୍ରଛାତ୍ରୀଙ୍କ ଗମନାଗମନ ଓ ସାଧାରଣ ଲୋକଙ୍କ ସୁରକ୍ଷା ସମ୍ପର୍କିତ ସମସ୍ୟା ଦୂର କରିବା ସହ ତିନିଟି ପ୍ରମୁଖ ସ୍ଥାନରେ ଅଣ୍ଡରପାସ ନିର୍ମାଣ ଦାବିରେ ସମିତି ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଜନସଂଗ୍ରାମ ସମିତିର ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଚାରି ଦିନ ଧରି ଚାଲିଥିବା ଗଣଧାରଣା କ୍ରମେ ତୀବ୍ର ରୂପ ନେଇଥିଲା। ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିବା ବେଳେ ସୋମବାର ପ୍ରଶାସନର ହସ୍ତକ୍ଷେପ ପରେ ଘଟଣା ନୂଆ ମୋଡ଼ ନେଇଛି। ସୋମବାର ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଧାରଣାସ୍ଥଳରେ ପହଞ୍ଚି ସମିତିର ପ୍ରତିନିଧି ଓ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଦାବିଗୁଡ଼ିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯିବା ସହ ଆବଶ୍ୟକ ପ୍ରଶାସନିକ ଓ ବୈଷୟିକ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ। ଆଲୋଚନାର ସବୁଠାରୁ ବଡ଼ ନିଷ୍କର୍ଷ ଭାବେ ଆସନ୍ତାକାଲି ଏକ ଟେକ୍ନିକାଲ୍ ଟିମ୍ ଧାରଣାସ୍ଥଳ ଓ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସର୍ବେକ୍ଷଣ କରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସର୍ବେକ୍ଷଣ ପରେ ଆବଶ୍ୟକ ପ୍ରକ୍ରିୟା ଆଗେଇ ନେଇ ଆସନ୍ତା ତିନି ମାସ ମଧ୍ୟରେ କାମ ଆରମ୍ଭ କରିବା ନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି। ପ୍ରଶାସନର ଏହି ଆଶ୍ୱାସନ ପରେ ଆନ୍ଦୋଳନକାରୀମାନେ ଗଣଧାରଣା ପ୍ରତ୍ୟାହାର କରିଥିଲେ। ତେବେ ଏହାକୁ ସ୍ଥାୟୀ ସମାଧାନ ନୁହେଁ, ବରଂ ପ୍ରଶାସନକୁ ଦିଆଯାଇଥିବା ଏକ ସୁଯୋଗ ବୋଲି ଦେଖାଯାଉଛି। ଏବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସର୍ବେକ୍ଷଣ ଓ ପ୍ରତିଶ୍ରୁତ କାର୍ଯ୍ୟ କେତେ ଦୂର ଆଗକୁ ବଢ଼ୁଛି, ତାହା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି। ଧାରଣାସ୍ଥଳରେ ଗୋଲାମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ନାୟକ, ଗୋଲାମୁଣ୍ଡା ଅତିରିକ୍ତ ତହସିଲଦାର, ଧର୍ମଗଡ଼ ବିଡିଓ, ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ସେଲମାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ଜନସଂଗ୍ରାମ ସମିତିର ସମ୍ପାଦକ ଅନିଲ ମଲ୍ଲିକଙ୍କ ସମେତ ଲମ୍ବୁ ଜାଲ, ଅଗସ୍ତି ମାଝୀ, ଫକୀର ମାଝୀ, ଅଶାରୁ ମାଝୀ, ତୁଷାର ସୁନାନୀ, ଘନ ରଣା, ରୁଦ୍ର ମଙ୍ଗରାଜ, ସୁମନ୍ତ କାଣ୍ଡ, ହାବେସ କାଣ୍ଡ, ଗଣେଶ କାଣ୍ଡ, ଦୟା ବାଗ, ଜତିନ୍ଦ୍ର ସେନାପତି, ଲକ୍ଷି ମାଝୀ, ଅଲେଖ ମାଝୀ, ଘାସିରାମ ମଲ୍ଲିକ, ଯୁଜେଷ୍ଟି ମାଝୀ ଓ ମିନିକେତନ ମାଝୀଙ୍କ ସମେତ ବହୁ ଆନ୍ଦୋଳନକାରୀ ଉପସ୍ଥିତ ଥିଲେ। ଚାରି ଦିନର ଗଣଧାରଣା ପରେ ଆଲୋଚନା ମାଧ୍ୟମରେ ଏକ ସମାଧାନର ପଥ ଖୋଲିଥିବା ବେଳେ ଏବେ ଟେକ୍ନିକାଲ୍ ଟିମ୍‌ର ସର୍ବେକ୍ଷଣ ଓ ପରବର୍ତ୍ତୀ ପ୍ରଶାସନିକ ପଦକ୍ଷେପ ଉପରେ ସମସ୍ତଙ୍କ ନଜର। ପ୍ରଶାସନର ପ୍ରତିଶ୍ରୁତି ଯଦି ସମୟସୀମା ମଧ୍ୟରେ କାର୍ଯ୍ୟରୂପ ନିଏ, ତେବେ ଦୀର୍ଘଦିନ ଧରି ଚାଲିଥିବା ଏହି ଦାବିର ସମାଧାନ ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *