ମାଲିକର ଅକ୍ତିଆର ଉଦ୍ୟମ -ଅଭିଯୋଗ ଆଣିଲେ ଗ୍ରାମବାସୀ
ଧର୍ମଗଡ଼,(ସୁବାଷ ବାଗ) :ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସ୍ଥାନେ ସ୍ଥାନେ ଜଳ ସଙ୍କଟ ଦେଖା ଦେଇଛି।ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ନାଇନ ଥିବା ଅସୁବିଧା ଭୋଗୁଛନ୍ତି।ଏହାକୁ ଦୃଷ୍ଟିରେ ରଖି ଧର୍ମଗଡ଼ ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼ ମଣ୍ଡଳୀ ର ପିପିଲା ଗ୍ରାମ ଠାରେ ନିଜ ଯୋଜନା ରେ ଏକ ସରକାରୀ ନଳକୂପ ଖୋଲିବା ପାଇଁ ଅନୁମୋଦନ କରିଥିଲେ।ଗତ କିଛି ଦିନ ତଳେ ଏକ ନଳକୂପ ଖୋଲା ଯାଇଛି।ହେଲେ ଖୋଲିଥିବା ସ୍ଥାନ ଟି ବେସରକାରୀ ଜମି ହୋଇଥିବା ବେଳେ ମାଲିକ ଜଣକ ନିଜ ଅକ୍ତିଆର ରଖିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବହୁଦିନ ଧରି ପିପିଲା ଗ୍ରାମ ଡମ୍ବପଡା ଠାରେ ଜଳ ସଙ୍କଟ ଲାଗି ରହିଛି।ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାନୀୟ ଜିଲ୍ଲା ପରିଷଦ ଙ୍କ ନିକଟରେ ପଡ଼ାବାସୀ ଗୁହାରି କରିଥିଲେ।ଶେଷରେ ପଡ଼ାବାସୀ ଙ୍କ ପିଇବା ପାଣି ପାଇଁ ଜିଲ୍ଲା ପରିଷଦ ନିଜ ଅଧିନ ଯୋଜନା ରୁ ଏକ ନଳକୂପ ଯୋଗାଇ ଦେଇଛନ୍ତି।ନଳକୂପ ଖୋଲା ଯାଇ ଥିବା ବେଳେ ଗ୍ରାମର ଚକ୍ରଧର ସାଗର ନାମକ ବ୍ୟକ୍ତି ନିଜ ମାଳିକାଣି ଜମିରେ ଖୋଲାଯାଇଥିବା କହି ଅକ୍ତିଆର କୁ ନେବା କୁ ଚେଷ୍ଟା କରିଥିବା ପଡ଼ାବାସୀ ପ୍ରକାଶ କରନ୍ତି।ଏପରିକି ନଳକୂପ ନିଜ ଅକ୍ତିଆର ରେ ରଖି ଏକ ବାଡ଼ ଦେବାକୁ ପ୍ରୟାସ କରୁଥିବା ନେଇ ପଡ଼ାବାସୀ ଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।ଶନିବାର ଦିନ ଏ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହୋଇଥିବା ଜଣାପଡିଛି। ଖୋଲା ଯାଇଥିବା ନଳକୂପ ସର୍ବ ସାଧାରଣ ଙ୍କ ବ୍ୟବହାର ପାଇଁ ଆସିଥିବା ବେଳେ ମାଳିକାଣି ଜମି ରେ ହୋଇଥିବା ଯୋଗୁଁ ମାଲିକ ଜଣକ ନିଜ ଅକ୍ତିଆର କରି ରଖିବା ଉଦ୍ୟମ ବିଶୃଙ୍ଖଳା କୁ ଆମନ୍ତ୍ରଣ କରୁଛି।ଏଣୁ ନଳକୂପ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ଅଥବା ସର୍ବସାଧାରଣ ଙ୍କ ବ୍ୟବହାର ପାଇଁ ବ୍ୟବସ୍ଥା ହାତ କୁ ନେବାକୁ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି।ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ଜଗଦୀଶ ଦୁର୍ଗା, ଶ୍ୟାମ ସୁନ୍ଦର ଜାଲ, ହିମାଂଶୁ ସେଠି, ଶିଶୁପାଳ ସୁନାନୀ, ମୁରଲୀ ସୁନାନୀ, ଯୁଗଳ ସୁନାନୀ, ଉମେଶ ସୁନାନୀ, ଚନ୍ଦ୍ରମଣି ସୁନାନୀ, ଦୀପଜ ସୁନାନୀ, ଘନଶ୍ୟାମ ସୁନାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼ଙ୍କ ପ୍ରତିକ୍ରିୟା ନେବାରୁ ଏହା ଅନ୍ୟାୟ ,ଏଭଳି ଉଦ୍ୟମକୁ ବରଖାସ୍ତ କରାଯିବ ନାହିଁ, ବିଭାଗୀୟ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।