ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦଶମ ଓ ଦ୍ଵାଦଶ ( ସିବିଏସଇ ଓ ସିଏଚଏସଇ) ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରୀ ଛାତ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ବର୍ଦ୍ଧନା କରିଛନ୍ତି। ସ୍ଥାନୀୟ ଏକ ହୋଟେଲ ଠାରେ ଅନୁଷ୍ଠିତ ମେଧାବୀ ସମ୍ବର୍ଦ୍ଧନା ସମାରୋହରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ଦେଶର ବିକାଶରେ ପିଲାମାନେ ସହାୟକ ହେବେ ଭଲ ପାଠ ପଢି, ଭଲ ମଣିଷ ହେବା ସହିତ ଦେଶ ବିକାଶର ଦାୟିତ୍ୱ ନେବେ ଏବଂ ଜଣେ ଭଲ ମଣିଷ ସମାଜର ପରିବର୍ତ୍ତନ ଆଣିପାରିବ ବୋଲି ମନ୍ତ୍ରୀ ନିଜର ଅଭିଭାଷଣରେ କହିଥିଲେ। ଏଥିସହ ନବରଙ୍ଗପୁର ଜିଲ୍ଲା ଚଳିତ ମାଟ୍ରିକ ପରୀକ୍ଷା ଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଗ୍ରଣି ରହିଥିବାରୁ ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଓ ସଂମ୍ମାନୀତ ଅତିଥି ପ୍ରମୁଖ ମାଟ୍ରିକ ପରୀକ୍ଷା ଏ୧ ରେ ୫ ଜଣ, ଏ୨ ରେ ପାଇଥିବା ୧୨୩ ଜଣ, ସି ବି ଏସ ଇ ରେ ମାଟ୍ରିକ ପାସ ମେଧାବୀ ୩୪ ଜଣ ଓ ଦ୍ଵାଦଶର ଉତ୍ତୀର୍ଣ୍ଣ ୪ ଜଣ ଓ କଳା, ବିଜ୍ଞାନ ଓ ବାଣିଜ୍ୟରେ ଏ୧ରେ ପାସ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀ ଟ୍ରଫି, ମାନପତ୍ର, ଖାତା ଓ ପେନ ପ୍ରଦାନ କରିଥିବା ବେଳେ ଏ୧ ପାଇଥିବା ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ନିଜଆଡୁ ୫ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରିଛନ୍ତି ।ଏଥିସହ ନୀତି ଆୟୋଗର ରାଙ୍କିଙ୍ଗରେ ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁର ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ୩ କୋଟି ଟଙ୍କା ଅର୍ଥ ରାଶି ପାଇବାକୁ ଯାଉଛି, ଯାହାକି ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ଅନେକ ମେଧାବୀଙ୍କୁ ସୃଷ୍ଟି କରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ସମସ୍ତ ଙ୍କୁ ସୂଚନା ଦେଇ ଗର୍ବିତ ଅନୁଭବ କରୁଥିବା କହିଥିଲେ।