ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଥୁଆମୂଳ ରାମପୁର / କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମିଶନ ଶକ୍ତି ପକ୍ଷରୁ ମିଶନ ଶକ୍ତି ସଭାଗୃହରେ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକର ୨୪ଟି  ପଞ୍ଚାୟତ ମଧ୍ୟରୁ ଥୁଆମୂଳ ରାମପୁର ପଞ୍ଚାୟତ ସମେତ କର୍ଲାପାଟ ଗୁଣପୁର ,ଗୋପାଳପୁର ପଞ୍ଚାୟତରୁ ୧୩ ଗୋଟି  ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଅଞ୍ଚଳର ପାରମ୍ପରିକ ଖାଦ୍ୟ ପଦାର୍ଥରେ ପ୍ରସ୍ତୁତ ଖାଦ୍ୟର ଗୁଣବତ୍ତା,ରୁଚିର ଉତ୍ତମ ଉପସ୍ଥାପନାରେ ପ୍ରତିଯୋଗୀ ମାନେ ନିଜର ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରିଥିଲେ।ଯେଉଁଠି ମାଣ୍ଡିଆ ପିଠା,କାଙ୍ଗୁ ଖିରି,ମଣ୍ଡା ପିଠା ,ଆରିସା ପିଠା,ମାଣ୍ଡିଆ ଯାଉ,କାକରା ପିଠା,ପୋଡ ପିଠା ଭଳି ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ସିଡିପିଓ ମଧୁବାଳା ବାଗଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଥୁଆମୂଳ ରାମପୁର ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରନ୍, ଏବିଇଓ ହେମନ୍ତ ପଣ୍ଡା, ବ୍ଲକ ଯୋଗାଣ ଅଧିକାରୀ ବିଭୁ ରଞ୍ଜନ ସାହୁ, ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତୁତ ଖାଦ୍ୟର ସ୍ବାଦ ପରଖି ଥିଲେ। ଏଥିରେ ଉତ୍ତମ ଏବଂ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୁରଷ୍କୃତ କରାଯାଇଥିଲା।

ବ୍ଲକ ସ୍ତରରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ମା ଅନ୍ନପୂର୍ଣ୍ଣା ସ୍ବୟଂ ସହାୟକ ଗୋଷ୍ଠୀ କାଚେଲେଖା ପ୍ରଥମ ହୋଇଥିବା ବେଳେ ଦ୍ବିତୀୟ ପୁରଷ୍କାର ପାଇଛନ୍ତି ଥୁଆମୂଳ ରାମପୁରର ଜାଗେସପଦର ମା ବଞ୍ଜାରେନ୍ ସ୍ବୟଂ ସହାୟକ ଗୋଷ୍ଠୀ ଏଥି ସହିତ ତୃତୀୟ ସ୍ଥାନରେ ପୁରଷ୍କୃତ ହେଲେ ଗୋପାଳପୁରର ମା ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ। ପ୍ରତିଯୋଗିତାରେ ପ୍ରଥମ ହୋଇଥିବା କାଚେଲେଖାର ଅନ୍ନପୂର୍ଣ୍ଣା ସ୍ବୟଂ ସହାୟକ ଗୋଷ୍ଠୀକୁ ସାର୍ଟିଫିକେଟ ସହ ୫ ହଜାର ଏବଂ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଜାଗେସପଦରର ମା ବଞ୍ଜାରେନ୍ ସ୍ବୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସାର୍ଟିଫିକେଟ ଓ ୪ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ତୃତୀୟ ସ୍ଥାନରେ ରହିଥିବା ଗୋପାଳପୁରର ମା ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀକୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ପ୍ରତିଯୋଗିତାରେ ପୁରଷ୍କୃତ ପ୍ରଥମ ଏବଂ ଦ୍ବିତୀୟ ଏସ.ଏଚ୍.ଜି ଜିଲ୍ଲା ସ୍ତରରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିଛନ୍ତି।ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତିର ବିପିସି ତଥା ଭାରପ୍ରାପ୍ତ ବିପିଏମ୍ ପ୍ରତାପ ନାଏକ ପରିଚାଳନା କରିଥିବା ବେଳେ ସମସ୍ତ ସୁପରଭାଇଜର, ବିପିଏ ଦିବ୍ୟ ରଞ୍ଜନ ନାଏକଙ୍କ ସମେତ ମିଶନ ଶକ୍ତିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।