ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଶ୍ବିନୀ କୁମାର ମଲ୍ଲିକ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ବ୍ଲକସ୍ତରୀୟ ‘ସମାଜ ଓଜସ୍ବିନୀ ଓଡ଼ିଶା- ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା’ ରବିବାର ଅନୁଷ୍ଠିତ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତି ବ୍ଲକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବ୍ଲକସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ଜଣ ଛାତ୍ର ଛାତ୍ରୀ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଏବଂ ସେଥି ମଧ୍ୟରୁ ମାନଝରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ର ଦେବାନନ୍ଦ ସାହୁ ପ୍ରଥମ ସ୍ଥାନ ଓ ଛାତ୍ରୀ ପ୍ରିୟା ଅଘରିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗୋଲାମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶାନ୍ତି ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ଗୋଲାମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାମ୍ବର ବିଶି ଗୋପବନ୍ଧୁଙ୍କ ମହନୀୟ ଗୁଣ ବିଷୟରେ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ବିଚାର ପତି ଭାବରେ ଶିକ୍ଷକ ସୁଧାଂଶୁ ମୁଣ୍ଡ ଏବଂ ଶିକ୍ଷକ ଟଙ୍କଧର ନାଏକ ଭାର ସମ୍ଭାଳି ଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦାମୋଦର ଦାସ, ପଙ୍କଜ ସାହୁ, ଅଶ୍ୱିନ ମଲ୍ଲିକ, ଚନ୍ଦ୍ରମଣି ପଟେଲଙ୍କ ସହ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଗଣ ପ୍ରମୁଖ ସହଯୋଗ କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବ୍ଲକ ସରପଞ୍ଚ ସଙ୍ଘର ସଭାପତି ପୁରୁଷୋତ୍ତମ ରାଉତ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।