ଖୁଣ୍ଟିଆ ପଞ୍ଚାୟତ ସମିତି ସଭ୍ୟ ମୃତ୍ୟୁ ଘଟଣା

ନିରପେକ୍ଷ ତଦନ୍ତ ଦାବି କଲା ଆଦିବାସୀ ସଂଘ

।। କୋକସରା ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ।। କୋକସରା ବ୍ଳକ ଖୁଣ୍ଟିଆ ସମିତି ସଭ୍ୟ ପିପଲପଡା ଗ୍ରାମର ଆଦିବାସୀ ଯୁବକ ଦେବେନ୍ଦ୍ର ଧରୁଆଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ସମିତି ସଭ୍ୟ ଦେବେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବୁଧବାର ଆଦିବାସୀ ସଂଘ କୋକସରା ଥାନାର ଦ୍ବାରସ୍ଥ ହୋଇଛନ୍ତି। ସଂଘର ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ୱରେ କର୍ମକର୍ତ୍ତା ମାନେ କୋକସରା ଥାନାରେ ପହଞ୍ଚି ଥାନା ଅଧିକାରିଣୀ ସ୍ନିଗ୍ଧା ରାଣୀ ସୁନାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଛନ୍ତି। ଦାବିପତ୍ରରେ ସଂଘ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ’ ଖୁଣ୍ଟିଆ ପଞ୍ଚାୟତ ଅନ୍ତର୍ଗତ ଚିତ୍ତ ଗହୀର ନାମକ ଜଣେ ଯୁବକ ମୃତ ସମିତି ସଭ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଡିଓ ସେସିଆଲ ମିଡ଼ିଆରେ ଘୁରି ବୁଲୁଛି। ଜୀବନରେ ମାରିଦେବାକୁ ଧମକ ପୂର୍ଣ୍ଣ ବାର୍ତ୍ତାଳାପକୁ ନେଇ ମୃତ୍ ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଗତ ୧୬ ତାରିଖରେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ସମ୍ପୂକ୍ତ ଯୁବକଙ୍କ ବିରୁଦ୍ଧରେ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ଦେବେନ୍ଦ୍ର ଚାପ ଗ୍ରସ୍ତ ଥିଲେ। ତେବେ ମଙ୍ଗଳବାର ଦିନ ପିପଲପଡା ସ୍ଥିତ ବାସଭବନରେ ପରିବାର ଲୋକେ ଦେବେନ୍ଦ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ମେଡିକାଲ ନେଇଥିଲେ। ସେଠାରେ ଦେବେନ୍ଦ୍ରଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରିଥିଲା। ଅନ୍ୟପଟେ ଦେବେନ୍ଦ୍ରଙ୍କୁ ହତ୍ୟା କରାଯାଇଛି ନାଁ ସେ ନିଜେ ଆତ୍ମହତ୍ୟା କରିଛନ୍ତି, ତା’ର ନିରପେକ୍ଷ ତଦନ୍ତ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଯଦି ସମ୍ପୂକ୍ତ ଯୁବକଙ୍କୁ ଗିରଫ କରା ନଯାଏ ତେବେ ଆସନ୍ତା ୩ଦିନ ଭିତରେ ଥାନା ଘେରାଉ କରିବା ପାଇଁ ଆଦିବାସୀ ସଂଘ କଡ଼ା ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ସମ୍ପାଦକ ତ୍ରିନାଥ ଶବର, ଋତୁରାଜ ମାଝୀ, ରାଜେନ୍ଦ୍ର ନାଏକ, କ୍ଷୀରସିନ୍ଧୁ ନେଗୀ, ନୀଳକଣ୍ଠ ନାଏକ, ସନ୍ତ କୁମାର ନାଏକ, ଘନଶ୍ୟାମ ନାଏକ, ବହାଦୁର ମାଝୀ, ମନୋରଞ୍ଜନ ବାଣୁଆ, ରୁଦ୍ର ନାଏକ, କୁରୁକ୍ଷେତ୍ର ବେହେରା, ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ଥିଲେ।