ରାୟଗଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାଗାବାଳୀ ଓ କଲ୍ୟାଣୀ ନଦୀକୂଳରେ ନିମ୍ନମାନର ପଥର ପ୍ୟାକିଂ କାମକୁ ନେଇ ସାଧାରଣରେ ଅଭିଯୋଗ ହେଉଛି।ଏହି ବ୍ଲକର ନାଗାବାଳୀ ନଦୀକୂଳରେ ଥିବା କଣ୍ଡା ସାହି, ଦେବଗିରି ସାହି, ଦାଣ୍ଡିଆ ସାହି, ମାଳତୀ ସାହି ଏବଂ କଲ୍ୟାଣୀ ନଦୀକୂଳରେ ଥବା ବଡଦ୍ୱାରସାହି ଠାରୁ ସାନବ୍ରାହ୍ମଣ ସାହି ବୁଲାଣି ପୋଲ ଠାରୁ ମେଡିକାଲ ନିକଟସ୍ଥ ନାଗାବଳୀ ନଦୀକୂଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ପଥର ପ୍ୟାକିଂ କାର୍ଯ୍ୟ କରାଯାଇଛି।ଏହି କାର୍ଯ୍ୟ ଅତି ନିମ୍ନମାନ କରାଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ବର୍ଷା ଦିନରେ ଉପର ମୁଣ୍ଡରେ ଉଚ୍ଚ ପର୍ବତ ମାଳାରେ ଅଧିକ ବର୍ଷା ହେବା ଫଳରେ ୨୦୧୭ ଜୁଲାଇ ୧୬ ତାରିଖରେ ନାଗାବାଳୀ ଓ କଲ୍ୟାଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବା ଦ୍ୱାରା ନଦୀକୂଳବର୍ତ୍ତୀ ତଳ ଭାଗରେ ଥିବା ଅଞ୍ଚଳ ମାନଙ୍କ ଭିତରେରେ ପାଣି ପଶିବା ସହ ଲୋକଙ୍କ ଧନ ଜୀବନ କ୍ଷୟକ୍ଷତି ହେବା ଫଳରେ ଏହାର ଗତିପଥ ଚିତ୍ର ବଦଳୀ ଯାଇଥିବାରୁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଟେଣ୍ଡର ମଧ୍ୟରେ କରାଯାଇଥିବା ବେଳେ ସୂଚନା ଫଳକ କୋଉଠି ଲଗା ଯାଇଛି କୋଉଠି ଲଗାଯାଇ ନଥିବାରୁ ବୁଦ୍ଧିଜୀବି ମହଲରେ ବାରମ୍ବାର ଚର୍ଚ୍ଚା ହେଉଛି।ଏଥିରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଚାଲିଥିବା ଅଭିଯୋଗ ହେଉଛି।ନଦୀକୂଳରେ ପଥର ପକାଇବା ବେଳେ ପଥର ନ ଖସିବା ପାଇଁ କୂଳରେ ତିନ ଫୁଟ ଖୋଳି ପଥର ପକାଇବା କଥା,କିନ୍ତୁ ଠିକାଦାର ଜଣକ ସେମିତି କିଛି କରିନଥିବାରୁ ବର୍ଷା ଦିନରେ ନଦୀର ପାଣି ବଡିବା ପରେ ପଥର ଖସି ନଦୀ ଗର୍ଭରେ ଲୀନ ହେବାର ଆଶଙ୍କାକୁ ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ସେହିପରି ପଥର ପ୍ୟାକିଂ ସମୟରେ ଭଲ ଭାବରେ କାର୍ଯ୍ୟ କରାଯାଇ ନଥିବାରୁ ବିଭିନ୍ନ ସ୍ଥାନରେ ପଥର ଦବିଯାଇ ଭଙ୍ଗାରୁଜା ହୋଇ ମାଟି ଅତଡ଼ା ଖସି ପଥର ପ୍ୟାକିଂ ନଷ୍ଟ ହୋଇଗଲାଣି।ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଏହାର ବିଜିଲାନ୍ସ ତଦନ୍ତ ପାଇଁ ଦାବୀ ହୋଇଛି।