ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଦୁଇଗୋଟି ଜୋନ୍ ସ୍ତରୀୟ ମଣ୍ଡଳ ପାଇଁ ସଭାପତି ଦାୟିତ୍ୱ ପାଇଁ ଚୟନ ହୋଇସାରିଛି। ଉଭୟ ସଭାପତିଙ୍କୁ ଆଜି ଥୁଆମୂଳ ରାମପୁର ବ୍ଲକ ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବ୍ଲକର ଦୁଇଟି ଜୋନ୍ ଯଥା ଡୁମେରପଦର ଏବଂ ଅନ୍ୟଟି ଥୁଆମୂଳ ରାମପୁର ଏହି ଦୁଇଟି ମଣ୍ଡଳରେ ବିଭକ୍ତ କରାଯାଇଛି। ଉଭୟ ମଣ୍ଡଳ ସଭାପତି ପାଇଁ ଦଳର ବରିଷ୍ଠ ତଥା ସକ୍ରିୟ କର୍ମକର୍ତ୍ତା ମାନଙ୍କ ନାମ ଚୟନ ପାଇଁ ଜିଲ୍ଲା ନେତୃମଣ୍ଡଳୀଙ୍କ ପାଖକୁ ପଠାଯାଇଥିଲା। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ବ୍ଲକର ୧ ନଂ ଜୋନ୍ ତଥା ମଣ୍ଡଳ ପାଇଁ ପାର୍ଟିର ଜଣେ ସକ୍ରିୟ କର୍ମୀ ପୁଷ୍ପ ନାଏକଙ୍କୁ ସଭାପତି ଏବଂ ୨ ନଂ ଜୋନ୍ ଥୁଆମୂଳ ରାମପୁର ମଣ୍ଡଳ ପାଇଁ ସଭାପତି ଭାବେ ଦୟାନିଧି ଭୋଇ ଚୟନ ହୋଇଛନ୍ତି।

ଏଥିପାଇଁ ବ୍ଲକ ବିଜେପି କର୍ମକର୍ତ୍ତା ମାନଙ୍କ ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପ୍ରଥମେ ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ବରୀ ମନ୍ଦିରରେ ମାଁଙ୍କ ଦର୍ଶନ କରି ମାଁ ଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ଉଭୟ ମଣ୍ଡଳର ନୂତନ ସଭାପତି ଦ୍ବୟ। ପରେ ବ୍ଲକ ବିଜେପିର କର୍ମକର୍ତ୍ତା ମାନଙ୍କୁ ନେଇ କୋଷାବରା ହେଲୋ ପଏଣ୍ଟ ଠାରେ ସମ୍ବର୍ଦ୍ଧନା ଉତ୍ସବ ପାଇଁ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ବର୍ଦ୍ଧନା ଉତ୍ସବ ପରେ ଦଳର ସଂଗଠନ ଏବଂ ଏହାର ଭବିଷ୍ୟତ ଉପରେ ଆଲୋଚନା ହୋଇଥିଲା।ନୂତନ ସଭାପତି ମାନଙ୍କୁ ନେଇ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକର ବରିଷ୍ଠ ବିଜେପି ନେତା ପବିତ୍ର ନାଏକ,ଜୋନ୍ ୨ର ପୁର୍ବତନ ସଭାପତି କୃଷ୍ଣଚନ୍ଦ୍ର ପରିଚ୍ଛା,ବ୍ଲକର ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବିଜେପିର ସଭାନେତ୍ରୀ ଶ୍ରୀମତୀ କିଆମଣୀ ନାଏକ, ବର୍ତ୍ତମାନର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ,ପାର୍ଟିର ବରିଷ୍ଠ ନେତା ବାଜରା ଭୋଇ,ବିପିନ ବିହାରୀ ନାଏକ, ବାମନୁ ନାଏକ ପ୍ରମୁଖଙ୍କ ସମେତ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ।
