ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ସୁବ୍ରତ ମହାନ୍ତି ଏକ ଦୁଷ୍କର୍ମ ଘଟଣାର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଚୈତନ ଗୌଡ଼କୁ ନିର୍ଦୋଷରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ , ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାଙ୍କ ସରଗି ଗ୍ରାମର ପୀଡିତା ଗତ ୨୫.୫.୨୫ ତାରିଖ ଦିନ ପାପଡାହାଣ୍ଡି ଥାନାରେ କେସ ନମ୍ବର ୧୦୪/୨୫ ପ୍ରକାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ୬ ବର୍ଷ ଧରି ନାନା ପ୍ରକାର ଭାବରେ ପ୍ରଲୋଭିତ କରି ତାଙ୍କ ଗ୍ରାମର ଚୈତନ ଗୌଡ଼ ତାଙ୍କୁ ପ୍ରେମ କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଛନ୍ତି ବୋଲି। ଏହାକୁ ନେଇ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଚୈତନ ଗୌଡ଼କୁ କୋର୍ଟ ଚାଲାଣ କରିବା ସହ ତା ନାମରେ ଭାରତୀୟ ନାଗରିକ ନ୍ୟାୟ ସଂହିତାର ଧାରା ୬୯ ପ୍ରକାରେ ମାମଲା ରୁଜୁ କରିଥିଲେ । ଯାହାର କୋର୍ଟ କେସ ନମ୍ବର ଥିଲା ସିଟି -୩୭/୨୫ । ଏହି ଘଟଣାର ସମସ୍ତ ୧୧ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଓ ଦୌରା ଜଜ ସୁବ୍ରତ ମହାନ୍ତି ଅଭିଯୁକ୍ତ ଚୈତନ ଗୌଡ଼କୁ ନିର୍ଦୋଷ ରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ଓ ତାଙ୍କ ସହଯୋଗୀ ମାମଲା କୁ ପରିଚାଳନା କରୁଥିଲେ।