କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଆସନ୍ତା ଜାନୁଆରୀ ୭, ୮ ଓ ୯ ତାରିଖ ୩ ଦିନ ଧରି ହେବାକୁ ଯାଉଛି। ଏଥିପାଇଁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବରେ ପ୍ରତିବର୍ଷ ବ୍ଳକ ପ୍ରଶାସନ ଓ କଳାହାଣ୍ଡି ଉତ୍ସବ କମିଟି ଅଞ୍ଚଳର ବିଭିନ୍ନ ମନ୍ଦିର, ପର୍ଯ୍ୟଟନସ୍ଥଳୀ, କଳାହାଣ୍ଡି ସଂସ୍କୃତି ସହିତ ଜଡ଼ିତ ଥିବା ବିଭିନ୍ନ ଜିନିଷ କୁ ନେଇ ମଞ୍ଚ ତିଆରି କରିଥାନ୍ତି। ଗତବର୍ଷ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣୀକେଶ୍ବରୀଙ୍କ ମନ୍ଦିର ଓ କଳାହାଣ୍ଡି ରାଜ ଦରବାର ଆକୃତିର ମଣ୍ଡପ ତିଆରି ହୋଇଥିଲା। ଯାହା ବେଶ୍ ଆକର୍ଷଣ ସାଜିଥିବାବେଳେ ସାରା ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଥିଲା। ସେହିପରି ଚଳିତବର୍ଷ ଗୁଡ଼ହାଣ୍ଡି ମଞ୍ଚରେ ଗୁର୍ଜିମୁଣ୍ଡା ସ୍ଥିତ ଯୋଗମାୟା ପୀଠ ମନ୍ଦିର ଆକୃତିର ମଣ୍ଡପ ତିଆରି କରିବା ନେଇ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ମଞ୍ଚକୁ ଜୟପାଟଣା ବ୍ଲକ ବଡ଼ କର୍ଲାକୋଟର ଜଣାଶୁଣା କାରିଗର ଉପେନ୍ଦ୍ର କୁମାର ନାଏକଙ୍କ ନେତୃତ୍ୱରେ ପୂର୍ଣ୍ଣଚନ୍ଦ୍ର ମାଝୀ, ଗିରୀ ନାଏକ, ରୋହିତ ନାଗ, ଜୟମନ ପଟେଲ, ରମେଶ ନାଏକ ଓ ତାଙ୍କ ଟିମ୍ ଲାଗିପଡିଛନ୍ତି। ଏଥର ମଞ୍ଚ ମଧ୍ୟ ବେଶ୍ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି। କୋକସରା ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବରେ ପ୍ରତିବର୍ଷ କଳାହାଣ୍ଡି ସହିତ ଜଡ଼ିତ ଥିବା ବିଭିନ୍ନ କାରୁକାର୍ଯ୍ୟ ହେଉଥିବାରୁ ଲୋକେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି।

