ଓଡ଼ିଶାରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ; ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ଚିଠି

କଲମପୁର/କ୍ରାନ୍ତିକ୍ଷେତ୍ର(ଗଣେଶରାମ ବାଗ) : ଓଡ଼ିଶାରେ ୨୦୨୪ ରେ ବିଜେପି ସରକାର ଗଠନ ପରେ ସାମ୍ପ୍ରଦାୟିକ ହିଂସା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ବୃଦ୍ଧି ପାଇଥିବା ଅଭିଯୋଗ କରି ଭାରତ ମୁକ୍ତି ମୋର୍ଚ୍ଚାର ଓଡ଼ିଶା ରାଜ୍ୟ ପ୍ରଭାରୀ ମାଧବ ସୁନାନୀ ରାଜ୍ୟପାଳଙ୍କୁ ଏକ ଖୋଲା ଚିଠି ଡାକ ମାଧ୍ୟମରେ ପଠାଇଛନ୍ତି। ଚିଠିରେ ଦଳିତ, ଆଦିବାସୀ, ଖ୍ରୀଷ୍ଟିଆନ ଏବଂ ମୁସଲମାନ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯ୍ୟାତନାର ବିବରଣୀ ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ଚିଠି ଆଜି କଲମପୁର ବ୍ଲକର ମୁଖ୍ୟ ଡାକଘରରୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯାଇଛି। ଚିଠିରେ ଶ୍ରୀସୁନାନୀ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଏକଦା ଶାନ୍ତି ଏବଂ ସଂହତ୍ତି ପ୍ରତୀକ ଥିଲା, କିନ୍ତୁ ବିଜେପି ସରକାର ଗଠନ ପରେ ଜାତି ଏବଂ ଧର୍ମର ନାମରେ ହିଂସା ବୃଦ୍ଧି ପାଇବା କହିଛନ୍ତି, “ଗଞ୍ଜାମର ଧରକୋଟରେ ଦୁଇ ଦଳିତ ଯୁବକଙ୍କୁ ଗୋ-ରକ୍ଷା ନାମରେ ନିର୍ଯ୍ୟାତନା ଦିଆଗଲା, ଯେଉଁମାନେ ନିଜ ଝିଅର ବିବାହ ପାଇଁ ଗାଈ କିଣି ଆଣୁଥିଲେ। ବାଲେଶ୍ୱରରେ ଏକ ଶ୍ରମିକଙ୍କୁ ହତ୍ୟା କରାଗଲା କାରଣ ସେ ଗୋ-ପରିବହନ କରୁଥିବା ଟ୍ରକ୍‌କୁ ସାହାଯ୍ୟ କରିଥିଲେ।” ଏହା ସହ ଭଦ୍ରକ, ବାଲେଶ୍ୱର ଏବଂ କଟକରେ ସାମ୍ପ୍ରଦାୟିକ ଦଙ୍ଗା, ମସଜିଦ୍ ଉପରେ ଆକ୍ରମଣ ଏବଂ ନବରଙ୍ଗପୁର, ମାଲକାନଗିରି ଓ ଗଜପତିରେ ଖ୍ରୀଷ୍ଟିଆନ ପ୍ରାର୍ଥନା ସଭାରେ ଆକ୍ରମଣର ଉଲ୍ଲେଖ କରାଯାଇଛି, ଯେଉଁଥିରେ ତିରିଶରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାଗୁଡ଼ିକୁ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୫, ୧୭, ୧୯, ୨୧ ଏବଂ ୨୫ର ଉଲ୍ଲଙ୍ଘନ ବୋଲି ବର୍ଣ୍ଣନା କରି ଶ୍ରୀସୁନାନୀ ରାଜ୍ୟପାଳଙ୍କୁ ପାଞ୍ଚଟି ଦାବି କରିଛନ୍ତି। (୧) ସମସ୍ତ ଘଟଣାର ସ୍ୱାଧୀନ ତଦନ୍ତ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ (୨) ରାଜ୍ୟ ସରକାରଙ୍କୁ ସଂବିଧାନିକ ଦାୟିତ୍ୱ ପାଳନ ଆଦେଶ (୩) ଶାନ୍ତି ପୁନଃସ୍ଥାପନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ (୪) ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ଏବଂ (୫) ଆର୍‌ଏସ୍‌ଏସ୍‌, ବଜରଙ୍ଗ ଦଳ ଭଳି ସଂଗଠନଗୁଡ଼ିକୁ ରାଜ୍ୟରେ ନିଷିଦ୍ଧ କରିବା ମାନବାଧିକାର ସଂଗଠନ ଗୁଡ଼ିକ ଏହି ଘଟଣାଗୁଡ଼ିକୁ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ହିଂସାର ଏକ ବ୍ୟାପକ ପ୍ରବଣତାର ଅଂଶ ବୋଲି ବର୍ଣ୍ଣନା କରିଛନ୍ତି। ୨୦୨୪ରେ ଭାରତରେ ସାମ୍ପ୍ରଦାୟିକ ଦଙ୍ଗାର ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଯେଉଁଥିରୁ ଅଧିକାଂଶ ବିଜେପି ଶାସିତ ରାଜ୍ୟରେ ଘଟିଛି। ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଏହି ଚିଠି ଉପରେ କ’ଣ ପ୍ରତିକ୍ରିୟା ଆସିବ ତାହା ପରବର୍ତ୍ତୀ ସମୟରେ ଜଣାଯିବ, କିନ୍ତୁ ଏହା ରାଜ୍ୟରେ ସାମ୍ପ୍ରଦାୟିକ ସଂହତି ଉପରେ ନୂଆ ବିତର୍କ ସୃଷ୍ଟି କରିଛି। ଶ୍ରୀ ସୁନାନୀଙ୍କ ଏହି ଚିଠି ଦଳିତ ଆଦିବାସୀ ପଛୁଆବର୍ଗ ଓ ଅଳ୍ପସଂଖ୍ୟକ ଖ୍ରୀଷ୍ଟିଆନ ଓ ମୁସଲମାନ ସମାଜର ମାନବାଧିକାର ସୁରକ୍ଷା କରିବ ବୋଲି ଆଶା କରାଯାଉଛି।