ମହଙ୍ଗା ପଡିଲା ଦ୍ୱିତୀୟ ସ୍ତ୍ରୀ କୁ ନିର୍ଯ୍ୟାତନା ଦେବା ଜେଲ ଗଲେ ସ୍ୱାମୀ ଓ ପ୍ରଥମ ସ୍ତ୍ରୀ

ଜୟପାଟଣା/କ୍ରାନ୍ତିକ୍ଷେତ୍ର(ଚିତ୍ରସେନ ବାଗ) : ଦ୍ୱିତୀୟ ସ୍ତ୍ରୀ କୁ ନିର୍ଯ୍ୟାତନା ଦେଇ ମାରି ଦେଇଥିବା ଅଭିଯୋଗରେ ଜେଲ ଯାଇଛନ୍ତି ସ୍ୱାମୀ ଓ ତାଙ୍କ ପ୍ରଥମ ସ୍ତ୍ରୀ। ମୁଖୀଗୁଡା ସେକ୍ଟର ୩ ରେ ରହୁଥିବା ନୂତନ ମଞ୍ଜରୀ ଦାସ (୨୩) ନିଜ ଘରେ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଘଟଣାଟି ବର୍ତ୍ତମାନ ନୂଆ ମୋଡ଼ ନେଇଛି। ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି କମଳା କାନ୍ତ(ଲକ୍ଷ୍ମୀକାନ୍ତ) ନାଏକ ଓରଫ ସୁମନ୍ତ(୩୩) ଓ ଅନିତା ନାଏକ(୨୬) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଜୟପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତ ସ୍ୱାମୀ, ସ୍ତ୍ରୀ କୁ କୋର୍ଟ ଚାଲାଣ କରିଛି ଜୟପାଟଣା ପୋଲିସ। ସୂଚନା ଅନୁଯାୟୀ ମୁଖୀଗୁଡା ସେକ୍ଟର ୩ ରେ ରହୁଥିବା କମଳାକାନ୍ତ (ଲକ୍ଷ୍ମୀକାନ୍ତ) ନାଏକ ଓରଫ ସୁମନ୍ତ ପୂର୍ବରୁ ତାଙ୍କ ସ୍ତ୍ରୀ ଓ ଦୁଇ ଛୋଟ ଝିଅ ରହିଥିବା ବେଳେ ଗତ ଏକ ବର୍ଷ ତଳେ ମହିପାଣି ଗାଁର ନୂତନ ମଞ୍ଜରି ଦାସ (୨୩) କୁ ପ୍ରେମ ବିବାହ କରିଥିଲେ। ଏ ନେଇ ତାଙ୍କ ପ୍ରଥମ ସ୍ତ୍ରୀ ଅନିତା ନାଏକ, ନୂତନ ମଞ୍ଜରୀ ଓ ଲକ୍ଷ୍ମୀକାନ୍ତ ମଧ୍ୟରେ ଝଗଡା ଲାଗି ରହିଥିବାବେଳେ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ ଅନିତା। ଲକ୍ଷ୍ମୀକାନ୍ତ ଜେଲ ମଧ୍ୟ ଯାଇଥିଲେ। ପରେ କିଛି ଦିନ ପରେ ପ୍ରଥମ ସ୍ତ୍ରୀ ଓ ଦ୍ୱିତୀୟ ସ୍ତ୍ରୀ ବୁଝାମଣା ହୋଇ ମୁଖୀଗୁଡା ସେକ୍ଟର ୩ ର ଗୋଟିଏ ଘରେ ତିନି ଜଣ ଓ ଅନିତା ଙ୍କ ତିନି ଛୁଆ ରହୁଥିଲେ। ହେଲେ ଗତ ଦୁଇ ଦିନ ତଳେ କିଛି କାରଣରୁ ତିନି ଜଣଙ୍କ ଝଗଡା ହୋଇଥିଲା। ପରେ ଦ୍ୱିତୀୟ ସ୍ତ୍ରୀ ନୂତନ ମଞ୍ଜରୀ ଆତ୍ମହତ୍ୟା କରିଥିବା ଜଣାପଡିଥିଲା। ଗୋଟିଏ ଭୁଲ ପାଇଁ ଜଣକର ଜୀବନ ଯାଇଥିବା ବେଳେ ଗୋଟିଏ ସୁନାର ସଂସାର ଉଜୁଡ଼ି ଯାଇଛି।