ବିଜ୍ଞାନ ଯୁଗରେ ଭୁତ ଭୟ! ଅନ୍ଧବିଶ୍ୱାସରେ ମାରିଗୁଡା ଗ୍ରାମବାସୀ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ାରେ ଏକ ଗାଁରେ ଭୁତ ଭୟରେ ଲୋକ ଦିନରେ ମଧ୍ୟ ଘର କବାଟ ବନ୍ଦ କରି ରହୁଛନ୍ତି। ଦେହ ଖରାପ ହେଲେ ହସ୍ପିଟାଲକୁ ନେବା ବଦଳରେ ଗୁଣିଗାରେଡି ଓ ଝାଡ଼ାଫୁଙ୍କାରେ ବିଶ୍ୱାସ କରୁଛନ୍ତି ଗ୍ରାମବାସୀ। ଗାଁରୁ ଭୁତ ପ୍ରେତ ଦୂର କରିବା ପାଇଁ ଘରୁଘରୁ ଚାନ୍ଦା ଆଦାୟ ଚାଲିଛି। ଏହା ସହ ଭୁତ ଲାଗିଥିବା ବୋଲି ଦାବି କରାଯାଉଥିବା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗ୍ରାମବାସୀଙ୍କ ନିଦ ହଜାଇ ଦେଉଛି କିଛି ଅପ୍ରକୃତିକ ଘଟଣା। କେବେ ଜୀଅନ୍ତା ଗଛରୁ ଧୂଆଁ ବାହାରୁଥିବା ଦୃଶ୍ୟ, ତ ଆଉ କେବେ କିଛି ଲୋକଙ୍କ ଅସାମାନ୍ୟ ବ୍ୟବହାର ଦେଖି ଭୟ ଆତଙ୍କ ଛାଇଯାଇଛି। ଗତ ଏକ ମାସ ମଧ୍ୟରେ ତିନୋଟି ମୃତ୍ୟୁ ଘଟିଥିବାରୁ ଭୟ ଆହୁରି ବଢ଼ିଛି। ମୃତ୍ୟୁ ପୂର୍ବରୁ ରୋଗୀମାନଙ୍କ ଅସ୍ୱାଭାବିକ ବ୍ୟବହାର ଦେଖାଯାଇଥିବା କହୁଛନ୍ତି ଗ୍ରାମବାସୀ।ଏହା ପରେ ଗାଁକୁ ଭୁତମୁକ୍ତ କରିବା ପାଇଁ ପୂଜା ଅର୍ଚନା ଓ ଗୁଣିଆଙ୍କ ସାହାଯ୍ୟ ନିଆଯାଉଛି। ଦୂର ଗାଁରୁ ଗୁଣିଆଙ୍କୁ ଡାକିବା ପାଇଁ ୨ ଲକ୍ଷ ଟଙ୍କା ଚାନ୍ଦା ଆଦାୟ ହେଉଛି ବୋଲି ଗ୍ରାମବାସୀ କହିଛନ୍ତି। ରାୟଗଡା ଜିଲ୍ଲା ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ମାରିଗୁଡା ଗାଁ ଜିଲ୍ଲା ସଦର ମହକୁମାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଏହି ଗାଁରେ ଦେହ ଖରାପ ହେଲେ ମେଡିକାଲକୁ ନେବା ବଦଳରେ ଝାଡ଼ାଫୁଙ୍କା କରାଯାଉଛି। ଏକ ମହିଳା ଗୁଣିଆ ମନ୍ତ୍ର ଉଚ୍ଚାରଣ କରି ପାଣି ଛିଞ୍ଚୁଛନ୍ତି, ଆଉଜଣେ କିଛି ଚୋବାଇ ରୋଗୀଙ୍କ ଦେହରେ ଲଗାଉଛନ୍ତି। ଏହି ଘଟଣା ଦେଖି ସବୁଠି ଆଶ୍ଚର୍ଯ୍ୟ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୂର୍ବପୁରୁଷମାନେ ଏଭଳି ଅଶୁଭ ଶକ୍ତିକୁ ଦୂର କରିବାକୁ କିଛି ଉପଚାର ନଦୀ ପଠାରେ ପୋତିଥିଲେ। କିନ୍ତୁ ସମ୍ପ୍ରତି ସେଠାରେ କାମ ହେବାରୁ ସେଗୁଡ଼ିକ ନଷ୍ଟ ହୋଇଯାଇଛି ଏବଂ ତାହାରୁ ଏପରି ବିପତ୍ତି ଆସୁଛି ବୋଲି ଦାବି କରୁଛନ୍ତି ସେମାନେ। ଅନ୍ୟପକ୍ଷରେ, ସଚେତନତା ଅଭାବ ଏବଂ ଶିକ୍ଷାର କମି ହେତୁ ଲୋକେ ଏପରି ଅନ୍ଧବିଶ୍ୱାସରେ ପଡ଼ୁଛନ୍ତି ବୋଲି କହିଛନ୍ତି କିଛି ବୁଦ୍ଧିଜୀବୀ। ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନ ଏକତ୍ରିତ ହୋଇ ଗ୍ରାମବାସୀଙ୍କୁ ସଚେତନ କରିବା ଓ ସଠିକ ଚିକିତ୍ସା ସୁବିଧା ପ୍ରଦାନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି।