କୋକସରା/କ୍ରାନ୍ତିକ୍ଷେତ୍ର : ପ୍ରତ୍ୟେକ ମାସର ୧୫ ତାରିଖ ସୁଦ୍ଧା ବାର୍ଦ୍ଧକ୍ୟ, ବିଧବା ତଥା ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା (ପେନସନ) ଟଙ୍କା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଚଳିତ ମାସରେ କୋକସରା ବ୍ଳକର ବିଭିନ୍ନ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜି ପର୍ଯ୍ୟନ୍ତ ଭତ୍ତା ଟଙ୍କା ବଣ୍ଟନ କରାଯାଇ ନଥିବାରୁ ହିତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଳକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୋକସରା ବ୍ଲକର ୨୨ ଗୋଟି ଗ୍ରାମ ପଞ୍ଚାୟତରୁ ବାର୍ଦ୍ଧକ୍ୟ ଭତ୍ତା ୬ ହଜାର ୭୬ ଜଣ ହିତାଧିକାରୀ ପାଉଥିବାବେଳେ ବିଧବା ଭତ୍ତା ୩ ହଜାର ୩୯୨, ଭିନ୍ନକ୍ଷମ ୧୬ଶହ ୮୦, ଅବିବାହିତ ୮୨, ଡିଭୋସ ୪୪ ଓ ଟ୍ରାନ୍ସଜେନ୍ଦର ୨ ଜଣ କୁ ମିଶାଇ ମୋଟ ୧୧ ହଜାର ୨୭୨ ଜଣ ହିତାଧିକାରୀ ଭତ୍ତା ପାଉଥିବା ଜଣାପଡିଛି। ତେବେ ଚଳିତ ମାସରେ ନିର୍ଦ୍ଧାରିତ ସମୟର ୫ ଦିନ ଅତିକ୍ରମ କରିଥିଲେ ମଧ୍ୟ ଭତ୍ତା ଟଙ୍କା ପ୍ରଦାନ କରାଯାଇନାହିଁ। ବ୍ଳକର ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ସମେତ ପ୍ରାୟ ୧୦ ଗୋଟି ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଏପର୍ଯ୍ୟନ୍ତ ଭତ୍ତା ଟଙ୍କା ପ୍ରଦାନ କରି ନଥିବା ଅଭିଯୋଗ ହୋଇଛି। ବରିଷ୍ଠ ନାଗରିକ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ମାସିକ ମିଳୁଥିବା ଭତ୍ତା ଟଙ୍କାରେ ଦୈନିକ ବ୍ୟବହାର୍ଯ୍ୟ ସାମଗ୍ରୀ, ଔଷଧ କିଣା କିଣି କରିବା ସହିତ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି। ହେଲେ ଏହି ଭତ୍ତା ଟଙ୍କା ମଧ୍ୟ ଠିକ୍ ସମୟରେ ମିଳିପାରୁ ନଥିବାରୁ ହିତାଧିକାରୀମାନେ ଭତ୍ତା ନପାଇ ଦହଗଞ୍ଜ ହେଉଛନ୍ତି। ଏ ବିଷୟରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ଆମେ ୧୩ ତାରିଖରୁ ଚେକ୍ ଦେଇ ସାରିଛୁ, ବ୍ୟାଙ୍କରେ ଆବଶ୍ୟକୀୟ ପରିମାଣର ଟଙ୍କା ଉପଲବ୍ଧ ନଥିବା ହେତୁ ଭତ୍ତା ଟଙ୍କା ଦେବାରେ ବିଳମ୍ବ ହେଉଛି। ବର୍ତ୍ତମାନ ସୁଦ୍ଧା ୧୦/୧୨ ଟି ଗ୍ରାମ ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଇ ସାରିଛି। ବାକି ରହିଥିବା ପଞ୍ଚାୟତର ଭତ୍ତା ହିତାଧିକାରୀଙ୍କୁ ଶନିବାର ସୁଦ୍ଧା ପ୍ରଦାନ କରାଯିବ ବୋଲି କହିଛନ୍ତି।
