ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଜୟପାଟଣା ଅଞ୍ଚଳର ସାମଗ୍ରିକ ଉନ୍ନତି, ଜନସମସ୍ୟାର ସମାଧାନ ଏବଂ ସାମାଜିକ ସଚେତନତା ବୃଦ୍ଧି ଲକ୍ଷ୍ୟରେ ସଚେତନ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପିଆର ପ୍ୟାଲେସ ଠାରେ ଆୟୋଜିତ ଏହି ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ବିଶେଷ କରି ଚିକିତ୍ସା ସୁବିଧାରେ ସୁଧାର, ସ୍ୱାସ୍ଥ୍ୟ ସେବା ବୃଦ୍ଧି, ଯାତାୟାତ ସମସ୍ୟାର ସମାଧାନ, ନିର୍ବାଚନ ମଣ୍ଡଳୀ ପୁନର୍ଗଠନ, ନୂତନ ଜିଲ୍ଲା ଗଠନ ପ୍ରସ୍ତାବ ଓ ଅନ୍ୟାନ୍ୟ ଜନହିତକର ବିଷୟ ଉପରେ ବିଷଦ ଭାବରେ ଚର୍ଚ୍ଚା ହୋଇ ସମିତି ପକ୍ଷରୁ ଆଗାମୀ ଦିନରେ ସକ୍ରିୟ ପଦକ୍ଷେପ ନେବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା। ନୂତନ ଇନ୍ଦ୍ରାବତୀ ଜିଲ୍ଲା ଗଠନ ନିମନ୍ତେ ଏକ ଦାବିପତ୍ର ପ୍ରସ୍ତୁତ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ବ ବିଭାଗ, ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଥିଲା। ଏହି ଦାବି କୁ ବଣିକ ସଂଘ, ସରପଞ୍ଚ ସଂଘ, ସମିତି ସଭ୍ୟ ସଂଘ, ସାମ୍ବାଦିକ ସଂଘ, ସାହିତ୍ୟ ସଂସଦ, ଡ଼୍ରାଇଭର ସଂଘ, ଯୁବ ଜାଗରଣ ସମିତି ସମେତ ବହୁ ଅନୁଷ୍ଠାନ ସ୍ଵତଃ ପ୍ରବୃତ ସମର୍ଥନ ଜ୍ଞାପନ କରିଥିଲେ। ବିଭିନ୍ନ ସମସ୍ୟା ଆଲୋକପାତ ସହ କମିଟି ପୁନର୍ଗଠିତ ଏହି ଅବସରରେ ସର୍ବସମ୍ମତିକ୍ରମେ କମିଟିର ସଭାପତି ଭାବରେ ପ୍ରଦ୍ୟୁମ୍ନ କୁମାର ପଣ୍ଡା, ସାଧାରଣ ସଂପାଦକ ଭାବେ ଦିବାକର ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବରେ ପ୍ରାଣରଜ୍ଞନ ବେହେରା, ଉପସଭାପତି ଭାବରେ ରୁଦ୍ର ପ୍ରସାଦ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା। ପରାମର୍ଶଦାତା କମିଟି ର ସଦସ୍ୟ ଭାବରେ ସତ୍ୟ ନାରାୟଣ ଅଗ୍ରୱାଲ, ଶେଷଦେବ ବେହେରା, ଶୈଳେନ୍ଦ୍ର ରାଜ, ଗଙ୍ଗାଧର ମାଝୀ, ଘାସିରାମ ଅଗ୍ରୱାଲ, ବାଳମୁକୁନ୍ଦ ପଣ୍ଡା, ମନୋଜ ପାତ୍ର, ଛାୟାକାନ୍ତ ବେଣୁପାଣି ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ବୈଠକରେ ଅଞ୍ଚଳର ବହୁ ରାଜନୀତିଜ୍ଞ, ସମାଜସେବୀ, ବୁଦ୍ଧିଜୀବୀ, ଯୁବକ, ସଚେତନ ନାଗରିକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅସରଫ ଅଲ୍ଲୀ, ଜଗମୋହନ ପଟ୍ଟନାୟକ, ପ୍ରବୀର ଭରଦ୍ୱାଜ, ସୁଶିଲ ନାୟକ, ଗୋପାଳ ଅଗ୍ରୱାଲ, ରିତେଶ ବଂଶଲ, ମୋହନ ଅଗ୍ରୱାଲ,ତରୁଣ ଅଗ୍ରୱାଲ, ରଶ୍ମିରଞ୍ଜନ ସୁନା, ଶିବାନନ୍ଦ ବେନିଆ, ଧବଳେଶ୍ୱର ପଟେଲ ପ୍ରମୁଖ ଉପସ୍ଥିତ ରହି ବୈଠକକୁ ସଫଳ କରିଥିଲେ। ସମସ୍ତ ସଦସ୍ୟ ଏବଂ କର୍ମକର୍ତ୍ତାମାନେ ଜୟପାଟଣାର ସମଗ୍ର ଉନ୍ନତି, ଜନସମସ୍ୟାର ସମାଧାନ ଓ ଲୋକହିତକର କାର୍ଯ୍ୟ ପାଇଁ ଏକତ୍ର ଭାବେ କାମ କରିବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ।
