ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ କଳସଯାତ୍ରା

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡାଠାରେ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଧାକୃଷ୍ଣ ଯାଦବ ସମାଜ ପକ୍ଷରୁ ହେବାକୁ ଥିବା ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ନିମନ୍ତେ ଆଜି କଳସଯାତ୍ରା ଓ ଅଧିବାବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ସନ୍ଧ୍ୟାରେ ପୂଜା ମଣ୍ଡପରୁ ଶତାଧିକ ଶ୍ରଦ୍ଧାଳୁ ମହିଳା ମାନେ କଳସଯାତ୍ରାରେ ବାହାରୀ ମୁଟୁରା ନଦୀରୁ ପୂଜାର୍ଚ୍ଚନା ପରେ ଜଳ ପୁର୍ଣ୍ଣ କଳସୀ ଧାରଣ କରି ସଂକୀର୍ତ୍ତନ ଦଳ, ବନାବାଡି ଦଳ, ଘଣ୍ଟୁଆ ଦଳ ଓ ସାଂସ୍କୃତିକ ଦଳର ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ପୁଣି ପୂଜାମଣ୍ଡପ କୁ ପ୍ରତ୍ୟାବର୍ତ୍ତନ କରି କଳସ ସ୍ଥାପନ କରିଥିଲେ। ଷୋହଳ ପ୍ରହର ନାମଯଜ୍ଞର ପୂଜାକର୍ତ୍ତା ନିମନ୍ତେ ସୁରେଶ ତାଣ୍ଡି ଓ ସପତ୍ନୀକ ମଦନା ତାଣ୍ଡି ଦାଇତ୍ୱ ନିର୍ବାହ କରୁଛନ୍ତି। ଷୋହଳ ପ୍ରହର ନାମଯଜ୍ଞରେ ପଶ୍ଚିମ ଓଡିଶାର ସୁନାମଧନ୍ୟ ସଂକୀର୍ତ୍ତନ ଗାୟିକା ଜ୍ୟୋସ୍ନାମୟୀ ଦୀକ୍ଷିତ, ରଞ୍ଜିତା ପୋଢ଼, ଛତିଶଗଡ଼ ରାଜ୍ୟର ଗାୟକ ନିଲୁ ଧଙ୍ଗଡାମାଝୀ, ଅଚ୍ୟୁତାନନ୍ଦ ଶତପଥୀ, ଅରୁଣ ଗହୀର, ନୃସିଂହ ବାଗ, ଜୟରାମ ଶବର, ସୁଧୀର ବେମାଲ ପ୍ରମୁଖ ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ସାମିଲ ହେବେ। ଶନିବାର ସକାଳୁ ନାମ ଆରମ୍ଭ ହୋଇ ସୋମବାର ସକାଳେ ସମାପନ ହେବାକୁ ଥିବାବେଳେ ଦହିହାଣ୍ଡି ଭଞ୍ଜନ ସହ ଷୋହଳ ପ୍ରହର ନାମଯଜ୍ଞ ପୂର୍ଣ୍ଣାହୁତି ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି।