ମହିଚଳା ଗ୍ରାମରେ ଦିବ୍ୟ ସତସଙ୍ଗ

ଜୁନାଗଡ/କ୍ରାନ୍ତିକ୍ଷେତ୍ର : ଜୁନାଗଡ ବ୍ଳକ ମହିଚଳା ଗ୍ରାମରେ ପୂଜ୍ୟ ଶ୍ରୀ ଜଗଦାନନ୍ଦଜୀ ମହାରାଜଙ୍କ ପବିତ୍ର ଉପସ୍ଥିତିରେ ଏକ ଦିବ୍ୟ ସତସଙ୍ଗ ଓ ଧାର୍ମିକ କାର୍ଯ୍ୟକ୍ରମ ଶ୍ରଦ୍ଧାଭକ୍ତି ସହ ଆୟୋଜିତ ହୋଇଥିଲା। ଏହି ପାବନ ଅବସରର ଆୟୋଜନ କରିଥିଲେ ଗ୍ରାମର ମମିତା ନାଏକ ଓ ପ୍ରମୋଦ କୁମାର ନାଏକ କାଳୀକୃଷ୍ଣ କୃପାରୁ ପ୍ରାପ୍ତ ହୋଇଥିବା କନ୍ୟା ସନ୍ତାନ “କ୍ରିଷ୍ଣା” ପ୍ରଥମ ଜନ୍ମ ବାର୍ଷିକ ଉତ୍ସବ ଅବସରରେ। ସତସଙ୍ଗ ଅବସରରେ ପୂଜ୍ୟ ଶ୍ରୀଜଗଦାନନ୍ଦଜୀ ମହାରାଜ ଓ ବେଦବ୍ରହ୍ମା ଶ୍ରୀସରୋଜାନନ୍ଦଜୀ ମହୋଦୟ ଭକ୍ତମାନଙ୍କୁ ଧାର୍ମିକ ଉପଦେଶ ଓ ଆତ୍ମିକ ପ୍ରେରଣା ଦେଇଥିଲେ। ତାଙ୍କ ଅମୃତମୟ ବାଣୀ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା ଏବଂ ପରିବେଶକୁ ଭକ୍ତିମୟ କରିଥିଲା। କାଳୀକୃଷ୍ଣ ଭଗବାନଙ୍କ କୃପା କରୁଣାରୁ ଦମ୍ପତିଙ୍କ କନ୍ୟା ସନ୍ତାନ ‘କ୍ରିଷ୍ଣା’ କନ୍ଦାଗଡ ଠାରେ ଅନୁଷ୍ଠିତ ବିଶ୍ୱ ଶାନ୍ତି ମହାବିଷ୍ଣୁ ଯଜ୍ଞ ଚରୁ ଅନ୍ନ ସେବନ କରି ପ୍ରାପ୍ତ ହୋଇଥିଲେ। ଗ୍ରାମବାସୀ ଓ ଭକ୍ତମାନଙ୍କ ବ୍ୟାପକ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଶେଷରେ ପ୍ରସାଦ ସେବନ ସହ ଧାର୍ମିକ ଅନୁଷ୍ଠାନର ସମାପନ ହୋଇଥିଲା। ଏହି ପବିତ୍ର ଅବସର ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ସହ ସମସ୍ତଙ୍କ ମନରେ ଅନନ୍ୟ ଆନନ୍ଦ ଖେଳିଯାଇଥିଲା। ଏହି କାର୍ଯ୍ୟକ୍ରମରେ କାଳୀକୃଷ୍ଣ ସଂଘର ଶ୍ରୀଗିରିଜାନନ୍ଦ, ଶ୍ରୀପ୍ରିୟାନନ୍ଦ, ଶ୍ରୀମାଧବାନନ୍ଦ, ଶ୍ରୀମୁକୁନ୍ଦାନନ୍ଦ, ଶ୍ରୀଲକ୍ଷ୍ମୀକାନ୍ତ ଖମାରୀ ସମେତ ସଂଘର ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ କୈଳାସ ଚନ୍ଦ୍ର ନାଏକଙ୍କ ପରିବାର ସହିତ ଓ ମହିଚଳା ଶାଖା ସଂଘ କାର୍ଯ୍ୟକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ।