ବାଇକ କୁ ଧକ୍କା ଦେଲା ୪୦୭ ; ୨ ଗୁରୁତର

କୋକସରା/କ୍ରାନ୍ତିକ୍ଷେତ୍ର : ଆଜି ସନ୍ଧ୍ୟାରେ କୋକସରା ବ୍ଲକ ଫୁପଗାଁ ପୁରୁଣା ଭାଟି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ବାଇକ କୁ ୪୦୭ ଗାଡ଼ି ଧକ୍କା ଦେବାରୁ ୨ଜଣ ଗୁରୁତର ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଗୁରୁତର ମାନେ ହେଲେ ଜୟପାଟଣା ବ୍ଳକ ଆମଜୋର, ଡଙ୍ଗରୀପଡାର ମଧୁସୂଧନ ଶବର (୪୫) ଧନମତି ଶବର (୪୦) ଓ ବେଳମତି ଶବର (୧୬) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମଧୁସୂଧନ, ଧନମତି ଓ ବେଳମତି ଏକ ବାଇକ୍ ଯୋଗେ ଫୁପଗାଁ ପଟୁ ନିଜ ଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ମୋଟେର ପଟୁ ଦ୍ରୁତ ଗତିରେ ଆସୁଥିବା ୪୦୭ ଗାଡ଼ି (ଓଡି୦୮କେ ୫୨୫୩) ନମ୍ବର ସେମାନଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଫଳରେ ବାଇକରେ ଥିବା ମଧୁସୂଧନ, ଧନମତି ଓ ବେଳମତି ରାସ୍ତା କଡ଼ରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ମେଡିକାଲ କୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମଧୁସୂଧନ ଓ ଧନମତିଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। କୋକସରା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ୪୦୪ ଗାଡି ଓ ବାଇକ କୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।