ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନ ଥିବା ସହିଦ ରେଣ୍ଡୋ ମାଝୀ ମେଡିକାଳ କଲେଜ ଓ ହସ୍ପିଟାଲରେ ଚାଲୁଥିବା ଓଡ଼ିଶା ରକ୍ତ ଭଣ୍ଡାର (ବ୍ଲଡ୍ ବ୍ୟାଙ୍କ) କୁ ନେଇ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଛି। ସେଠାରେ ସ୍ୱାସ୍ଥ୍ୟ ବିଭାଗର କିଛି ଗୁରୁତର ଅବ୍ୟବସ୍ଥା ଓ ଅନିୟମିତତା ଦେଖାଯାଉଥିବା ବୋଲି ସାଧାରଣ ଲୋକ ଓ ସମାଜସେବୀ ସଂଗଠନମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ବ୍ଲଡ୍ ବ୍ୟାଙ୍କରେ ଜୈନକ ପିଅନଙ୍କ ଦ୍ୱାରା ରକ୍ତ ନମୁନା ସଂଗ୍ରହ କରାଯାଇ ରକ୍ତ ଗ୍ରୁପ ଚିହ୍ନଟ କରାଯାଉଥିବା ଦେଖାଯାଇଛି, ଯାହା ଚିକିତ୍ସା ନିୟମକୁ ଉଲ୍ଲଂଘନ କରୁଥିବା ବୋଲି କୁହାଯାଉଛି। ତଦୁପରି ଗରିବ ଓ ନିରୀହ ରୋଗୀମାନଙ୍କୁ ରକ୍ତ ଯୋଗାଇବା ନାମରେ ଦଲାଲମାନଙ୍କୁ ଡାକି ଟଙ୍କା ମୁଲଚାଲ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ସେହିପରି ଜରୁରୀ ସମୟରେ ରକ୍ତ ଆବଶ୍ୟକ ଥିଲେ ମଧ୍ୟ ରକ୍ତ ସଂଗ୍ରହ ପାଇଁ ରୋଗୀ ପରିବାରକୁ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରାଯାଉଥିବା ଦେଖାଯାଇଛି। କେତେକ କର୍ମଚାରୀ ଲୋକଙ୍କ ଠାରୁ ଖୋଲାଖୋଲି ଲାଞ୍ଚ ନେଉଥିବା ସହ ମାତାଳ ଅବସ୍ଥାରେ କାମ କରୁଥିବା ମଧ୍ୟ ଅଭିଯୋଗ ହେଉଛି। କିନ୍ତୁ ଏତେ ସବୁ ଘଟଣା ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି କଡ଼ା ନିରୀକ୍ଷଣ ନଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏପଟେ ସୋସିଆଲ ୱେଲଫେଆର ଅର୍ଗାନାଇଜେସନ୍, ସୋସିଆଲ ଏକ୍ଟିଭିଷ୍ଟ ଅଫ କଳାହାଣ୍ଡି, ମହାକାଳ ଫାଉଣ୍ଡେସନ୍, ଚିଙ୍ଗୁଡିସର ବିବେକାନନ୍ଦ ଯୁବ କ୍ଲବ୍, ପରି ବିଭିନ୍ନ ସମାଜସେବୀ ସଂଗଠନ ଦିନରାତି ରକ୍ତ ସଂଗ୍ରହ ଓ ରୋଗୀଙ୍କୁ ସହଯୋଗ କରୁଛନ୍ତି। ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହେଉଛି। “ରକ୍ତଦାନ ମାନେ ଜୀବନଦାନ” ବୋଲି ସମାଜକୁ ସଚେତନ କରାଯାଉଥିବା ସମୟରେ ବ୍ଲଡ୍ ବ୍ୟାଙ୍କରେ ଏପରି ଦଲାଲି ଓ ଅନିୟମିତତା କାହିଁକି ହେଉଛି ବୋଲି ପ୍ରଶ୍ନ ଉଠିଛି। ବ୍ଲଡ୍ ବ୍ୟାଙ୍କକୁ ଆସୁଥିବା ଦଲାଲମାନଙ୍କୁ କିଏ ଆଶ୍ରୟ ଦେଉଛି ତାହା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଓ ସମାଜସେବୀମାନେ ସ୍ୱାସ୍ଥ୍ୟ ବିଭାଗକୁ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବା ସହ ବ୍ଲଡ୍ ବ୍ୟାଙ୍କର ବ୍ୟବସ୍ଥା ସୁଧାରିବାକୁ ଦାବି କରିଛନ୍ତି।
