ଜନଗଣନା ନିମନ୍ତେ ରାୟଗଡ଼ାରେ ପ୍ରସ୍ତୁତି

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ହେବାକୁଥିବା ଜନଗଣନା କାର୍ଯ୍ୟ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି। ଜନଗଣନା ନିମନ୍ତେ ଜିଲ୍ଲା ସ୍ତରରେ କ୍ଷେତ୍ର ତାଲିମଦାତାଙ୍କ ତାଲିମ ପରେ ପ୍ରତି ବ୍ଳକ, ଏନଏସି ଓ ପୌରାଞ୍ଚଳରେ ଗଣନାକାରୀ ଓ ପରିଦର୍ଶନକାରୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ରାୟଗଡ଼ ତହସିଲଦାର ତଥା ଚାର୍ଜ ଅଧିକାରୀ ପ୍ରିୟଦର୍ଶିନୀ ସ୍ଵାଇଁ ରାୟଗଡ଼ ବ୍ଳକ ଅଞ୍ଚଳରେ ଜନଗଣନା ନିମନ୍ତେ ତିନିଶହ ଷୋହଳ ଜଣ ଗଣନାକାରୀ ଓ ସୁପରଭାଇଜରଙ୍କ ନିଯୁକ୍ତି ସହ ତାଲିମ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିଛନ୍ତି। ରାୟଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଗତ ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ ଆସନ୍ତା ଏପ୍ରିଲ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲା ସ୍ତରରେ ତାଲିମ ପ୍ରାପ୍ତ କ୍ଷେତ୍ର ତାଲିମଦାତା ରୂପେ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର, ରମେଶ ଚନ୍ଦ୍ର ସାହୁ, ମନୋରଞ୍ଜନ ମିଶ୍ର ଓ ଗୌରୀ ପ୍ରାସାଦ ବେହେରା ସାତୋଟି ଦଳରେ ଏହି ତାଲିମ ପ୍ରଦାନ କରୁଛନ୍ତି। ସହକାରୀ ତହସିଲଦାର ଶିମନ୍ତ କୁମାର ସାହୁ ଓ ସହଯୋଗୀ ରଞ୍ଜନ କୁମାର ସିଂଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ତାଲିମରେ ଜନଗଣନାର ଆବଶ୍ୟକତା, ବିଲଡିଂ,ଗୃହ ଓ ପରିବାର ଗଣନା, ମୋବାଇଲ ଆପ ମାଧ୍ୟମରେ ତେତିଶ ଗୋଟି ପ୍ରଶ୍ନର ଉତ୍ତର ସଂଗ୍ରହ କୌଶଳ ଓ ଆପର ବ୍ୟବହାର ଉପରେ ତାଲିମ ପ୍ରଦାନ କରାଯାଇଥିଲା। ଏପ୍ରିଲ ୧ ତାରିଖରେ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ନିଜ ପରିବାରର ତଥ୍ୟକୁ ସ୍ଵୟଂ ଗଣନା ମାଧ୍ୟମରେ ପ୍ରଦାନ କରିଛନ୍ତି। ଆସନ୍ତା ପନ୍ଦର ତାରିଖ ମଧ୍ୟରେ ଅନ୍ଲାଇନ୍ ମାଧ୍ୟମରେ ନିଜର ତଥ୍ଯକୁ ସ୍ଵୟଂ ଗଣନା କରିବା ନିମନ୍ତେ ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତା ଷୋହଳ ତାରିଖରୁ ମଇ ମାସ ପନ୍ଦର ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏଣୁ ଉଚିତ ତଥ୍ୟ ପ୍ରଦାନ କରି ଗଣନାକାରୀଙ୍କୁ ସହଯୋଗ କରିବା ନିମନ୍ତେ ତହସିଲଦାର ପ୍ରିୟଦର୍ଶିନୀ ସ୍ଵାଇଁ ରାୟଗଡ଼ ବାସୀଙ୍କୁ ଅନୁରୋଧ କରିଛନ୍ତି।