ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ମଦନପୁର ରାମପୁର ଅଞ୍ଚଳରେ ପ୍ରସିଦ୍ଧ ଶିବ ପାର୍ବତୀଙ୍କ ଝାମୁ ଯାତ୍ରା ନାମରେ ପରିଚିତ କାମନା ଦଣ୍ଡ ନାଟ। ତେର ଦିନ ଧରି ଚାଲିଥିବା ଏହି ଦଣ୍ଡ ପରମ୍ପରା ଅଞ୍ଚାଲରେ ବହୁ ପୁରୁଣା ସ୍ମୁତି ବହନ କରି ଆସୁଛି। ଶୁଣିବାକୁ ମିଳେ ଏହି କାମନା ଦଣ୍ଡ ମଦନ ପୁର ରାମପୁର ଗଡ଼ଜାତ ଜମିଦାରୀର ରାଜା ଦୁର୍ଗା ମାଧବ ସିଂ ଦେଓ ଙ୍କ ଧର୍ମ, ସାହିତ୍ୟ ସଂସ୍କୃତି ତଥା ଏହି ଗଡ଼ଜାତ କୁ ଓଡ଼ିଶା ଦରବାରରେ ପ୍ରତିଷ୍ଠିତ କରାଇବାରେ ଯେଉଁ ଅଦମ୍ୟ ଚେଷ୍ଟା ଜାରି ରଖିଥିଲେ ସେହି ସମୟରେ ଅଞ୍ଚଳରେ କାମନା ଦଣ୍ଡ ର ପ୍ରଚାର ପ୍ରସାର ଓ ପ୍ରତିଷ୍ଠା ର ସଂକଳ୍ପ ନେଇ ଆଗେଇ ଆସିଥିଲେ ପୂଜ୍ୟ କାମନା ଦଣ୍ଡ ଗୁରୁ ସ୍ୱର୍ଗତ ଦଣ୍ଡପାଣି ମହାଖୁଡ଼। ତେଣୁ ଗଞ୍ଜାମ ଜିଲ୍ଲା ରେ ବହୁଳ ପ୍ରସାରିତ କାମନା ଦଣ୍ଡ କୁ ରାମପୁର ମାଟିରେ ସ୍ଥାପନା କରି ପକାଇ ଥିଲେ ଏକ ନୂତନ ଇତିହାସ ର ମୂଳଦୁଆ।ଗଞ୍ଜାମ ଜିଲ୍ଲା ଶୈଳୀରେ ଶିବ ପାର୍ବତୀ, ଶିବ ପାର୍ବତୀ ଓ ଚଢ଼େୟା ଚଢ଼େୟାଣୀ, ସାପୁଆ, ବୀଣାକାର ଆଦି ପୌରାଣିକ ଚରିତ୍ର ଓ ବିଷୟ ବସ୍ତୁ କୁ ନେଇ ନିଜେ ଗୁରୁ ସ୍ୱର୍ଗତ ଦଣ୍ଡପାଣି ରଚନା କଲେ ନାଟକ ର ଗୀତ ଓ ସଂଳାପ।ଆଉ ଏହି ମହତ୍ କାର୍ଯ୍ୟ ର ପୃଷ୍ଠପୋଷକତା କରି ଅଞ୍ଚଳରେ ପରିବ୍ୟାପ୍ତ କରିଥିଲେ ରାଜା ଦୁର୍ଗାମାଧବ ସିଂହ ଦେଓ।ସେହି ଦିନ ଠାରୁ ଏହା ଆଉ ପଛକୁ ଫେରିଚାହିଁ ବରଂ ବହୁତ୍ ଘାତ ପ୍ରତିଘାତ ସହି ଆଗେଇ ଚାଲି ଆଜି ଶତାଧିକ ବର୍ଷ ଅତିକ୍ରାନ୍ତ ହୋଇ ବର୍ତ୍ତମାନ ଏହା ବଢ଼ି ବଢ଼ି ଏଗାର ଟି ଦଣ୍ଡ ପୀଠ ରେ ପରିଣତ ହୋଇ ସାରିଲାଣି।ହେଲେ ବିଭିନ୍ନ ସମୟରେ ଏହି ଦଣ୍ଡ ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଥିଲା।ଫଳରେ ନିଜ ନିଜ ଭିତରେ ସୁ ସମ୍ପର୍କ ଓ ଭାବ ବିନିମୟ ର ଅଭାବ ଯୋଗୁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରତିକୂଳ ପ୍ରଭାବ ଦୃଷ୍ଟି ଗୋଚର ହୋଇଥିଲା।ତେଣୁ ଅଞ୍ଚଳର ଦଣ୍ଡ ପ୍ରେମୀ, ଶ୍ରଦ୍ଧାଳୁ ସୁବାସ ସ୍ୱର୍ଗତ ସୁବାସ ମହାଖୁଡ଼,ସ୍ୱର୍ଗତ ଅର୍ଜୁନ ମହାରଣା,ସୁଦାମ ମହାଖୁଡ଼ ଆଦି ବହୁତ୍ ଚେଷ୍ଟା କରି ତାହାର ସମାଧାନ ର ପନ୍ଥା ଲାଗି ଉଦ୍ୟମ କରିଥିଲେ।ଠିକ୍ ସେହି ସମୟରେ ଏମାନଙ୍କ ପରାମର୍ଶ କ୍ରମେ ପ୍ରାଧ୍ୟାପକ,ନାଟ୍ୟକାର ତଥା ନିର୍ଦ୍ଦେଶକ ସ୍ୱର୍ଗତ ସୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ଗତ କିଛି ବର୍ଷ ପୂର୍ବରୁ ଏହିସବୁ ଦଳ କୁ ନେଇ ଏକ ଆଞ୍ଚଳିକ କାମନା ଦଣ୍ଡ ପରିଷଦ ଗଠନ କରାଗଲା।ଏଥିରେ ସମସ୍ତ ଦଳର ଦଣ୍ଡ ଗୁରୁ, ସଭ୍ୟ,ପୃଷ୍ଠପୋଷକ, ଓ ସର୍ବୋପରି ଶ୍ରଦ୍ଧାଳୁ ଦଣ୍ଡ ପ୍ରେମୀ ଙ୍କ ସକ୍ରିୟ ସହଯୋଗ ରେ ପରିପୃଷ୍ଟ ହୋଇଥିଲା।ସେହି ଦିନଠାରୁ ଅଦ୍ୟାବଧି ସମସ୍ତ ଦଳ ଏକସୁତ୍ର ବନ୍ଧିତ ହୋଇ ଏହି ପ୍ରାଚୀନ ପରମ୍ପରା କୁ ଆଗେଇ ନେଇ ଚାଲିଛନ୍ତି।
