ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଯୁଦ୍ଧ ଲାଗିଥିବା ଯୋଗୁ ସିଧାସଳଖ ରନ୍ଧନ ଗ୍ୟାସ୍ ଉପରେ ଏହାର ପ୍ରଭାବ ପଡ଼ିଥିବାବେଳେ ଜୀବିକା ପାଇଁ ବ୍ୟବସାୟ କରୁଥିବା ହୋଟେଲ ଓ ଟିଫିନସେଣ୍ଟର ମାଲିକ ମାନେ ଜୀବନଜୀବିକା ହରାଇଛନ୍ତି। ରନ୍ଧନ ଗ୍ୟାସ୍ ଅଭାବ ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଅଧିକାଂଶ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ହୋଟେଲ ମାଲିକମାନେ କାଠଚୁଲିରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି। କମର୍ସିଆଲ ଗ୍ୟାସ୍ ମିଳୁ ନ ଥିବାରୁ ଜଳଖିଆ ଦୋକାନ, ହୋଟେଲ, ରେଷ୍ଟୁରେଣ୍ଟ ବନ୍ଦ ହୋଇଯାଇଛି। ପାପଡାହାଣ୍ଡି ବ୍ଲକର ପାପଡାହାଣ୍ଡି, ଜଟାବାଲ ଓ ମୈଦଳପୁର ବ୍ୟବସାୟିକ ସ୍ଥାନରେ ଗ୍ୟାସ୍ ଅଭାବ ରହିଛି। ଏସବୁ ହୋଟେଲ ଓ ଜଳଖିଆ ଦୋକାନ ଗୁଡ଼ିକରେ ମହଜୁଦ ଥିବା ଗ୍ୟାସ୍ ସହିଯାଇଥିବାରୁ କେତେକ ହୋଟେଲ ବନ୍ଦ ରହିବ ସହ ଅନ୍ୟ ହୋଟେଲ ବ୍ୟବସାୟୀ ମାନେ କାଠଚୁଲାକୁ ବ୍ୟବହାର କରୁଛନ୍ତି।ରୋଷେଇ କରିବା ପାଇଁ କାଠଚୂଲାରେ ସମୟ ଅଧିକ ନେଉଥିବାରୁ ଖାଦ୍ୟର ପ୍ରକାର କମାଇବାକୁ ପଡ଼ୁଥିବା ବ୍ୟବସାୟୀମାନେ କହିଛନ୍ତି। ହୋଟେଲରେ କାର୍ଯ୍ୟରତ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ହୋଟେଲ ବନ୍ଦ ନକରି କାଠଚୁଲା ଉପରେ ନିର୍ଭର କରୁଥିବା କହିଛନ୍ତି କିଛି ବ୍ୟବସାୟୀ ଓ କାଠ ର ଦାମ ମଧ୍ୟ ଅଧିକ ରହିଥିଲେ ହେ କ୍ରୟ କରିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି। ଗ୍ୟାସ୍ ନଥିବା ସତ୍ତ୍ୱେ ଖାଦ୍ୟ ଆଇଟମ ଦର ପୂର୍ବଭଳି ରଖାଯାଇଥିବା ସେ କହିଛନ୍ତି। କମର୍ସିଆଲ ଗ୍ୟାସ୍ ମିଳୁ ନ ଥିବାରୁ ଓ ଘରୋଇ ଗ୍ୟାସ୍ ମିଳିବାରେ ବିଳମ୍ବ ହେଉଥିବାରୁ ଅନେକ ଜଳଖୁଆ ଦୋକାନ ସଂକଟରେ ପଡ଼ିଥିବା ଦେଖିବାକୁ ମିଳିଛି। କାଠ ମହଙ୍ଗା ଦରରେ କିଣିବାକୁ ପଡ଼ିବା ସତ୍ତ୍ୱେ ମଧ୍ୟ କୌଣସି ଖାଦ୍ୟର ମୂଲ୍ୟ ବୃଦ୍ଧି କରିଯାଉ ନ ଥିବା କହିଛନ୍ତି ହୋଟେଲ ଓ ଜଳଖିଆ ଦୋକାନ ମାଲିକ ମାନେ। ଏହି ପରିସ୍ଥିତିରେ ହୋଟେଲ ବ୍ୟବସାୟୀ କିଭଳି ବଞ୍ଚିବେ ସେନେଇ ସ୍ଥାନୀୟ ଉଠା ଦୋକାନୀ ସଂଘ ପ୍ରଶ୍ନ ଉଠାଇଛି। ବର୍ତ୍ତମାନ ଅସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ କିଛି ଅସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର ବୋଲି ଦାବି ହୋଇଛି।
