ଜୟପାଟଣା ବ୍ଲକସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଜୟପାଟଣା ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲପାଲି ପରିସରରେ ବ୍ଲକସ୍ତରୀୟ “ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ – କାର୍ଯ୍ୟକ୍ରମ ୨୦୨୬” ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ନୂତନ ଶିକ୍ଷାବର୍ଷର ଶୁଭାରମ୍ଭ ଅବସରରେ କୋମଳମତି ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସହ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ଉପାଧ୍ୟକ୍ଷା ଜାନକୀ ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ମୁଖ୍ୟବକ୍ତା ଭାବେଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ବରିଷ୍ଠ ସମାଜ ସେବୀ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ,ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ ଓ ଅସରଫ୍ ଅଲ୍ଲୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେଦବର ନିଆଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦୀପ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ୧୫ ଜଣ ଶିଶୁଙ୍କୁ ବିଧିବଦ୍ଧ ଭାବେ”ଖଡ଼ି ଛୁଆଁଇ”ବାଳବାଟିକାରେ ପ୍ରବେଶ କରାଯାଇଥିଲା। ଏହା ସହ ସେମାନଙ୍କୁ ନୂତନ ବିଦ୍ୟାଳୟ ବ୍ୟାଗ୍ ଓ ବାଳବାଟିକା କିଟ୍ ପ୍ରଦାନ କରାଯାଇ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।ଅନ୍ୟତମ ବିଶେଷତ୍ୱ ଭାବେ, ବଡ଼କର୍ଲାକୋଟ ସି ଆର ସି ସି ସିଦ୍ଧାର୍ଥ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅତିଥିମାନଙ୍କ ଦ୍ୱାରା”ବ୍ଲକ ଶିକ୍ଷା ରଥ”ର ଶୁଭାରମ୍ଭ କରାଯାଇଥିଲା। ଏହି ରଥ ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ଶିକ୍ଷାର ପ୍ରସାର ଓ ସଚେତନତା ସୃଷ୍ଟି କରିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲଳିତ କୁମାର ନାଏକ ଆବାହକ ଭାବେ ସମସ୍ତ ଦାୟିତ୍ୱ ନିର୍ବାହ କରିଥିବା ବେଳେ, ବ୍ଲକର ୧୨ ଜଣ ସି.ଆର୍.ସି.ସି ପ୍ରମୁଖ ଭୂମିକା ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କୁଚାଗାଁ ସି ଆର ସି ସି ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ରେଙ୍ଗାଲପାଲି ସିଆରସିସି ବେଦବର ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ତରଫରୁ ନବୋଦୟ ପ୍ରବେଶିକା ପରୀକ୍ଷାରେ ସଫଳ ଛାତ୍ର ରୋଶନ ବାଗ, ତଥା ଆଦର୍ଶ ବିଦ୍ୟାଳୟ ପ୍ରବେଶିକାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅଦ୍ୟ ସଭାରେ ମାନପତ୍ର ସହ ଉପହାର ପ୍ରଦାନ କରାଯାଇଥିଲା।