ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଲଡୁଗାଁ କେନ୍ଦୁପତ୍ର ରେଞ୍ଜ ଅଧୀନରେ ଥିବା ଜୟପାଟଣା କାର୍ଯ୍ୟାଳୟ ସମ୍ମୁଖରେ ଏବେ ଅସନ୍ତୋଷର ନିଆଁ। ଦୀର୍ଘ ଦିନ ଧରି ନିଜର ହକ୍ ପାଇଁ ଲଢେଇ କରୁଥିବା ୧୨୩ ଜଣ ଋତୁକାଳୀନ କର୍ମଚାରୀ କାର୍ଯ୍ୟାଳୟ ସମ୍ମୁଖରେ ଏବେ ଦେଇଛନ୍ତି ଧାରଣା। ସମସ୍ୟାଟି କେବଳ କର୍ମଚାରୀ ଛଟେଇରେ ସୀମିତ ନାହିଁ, ବରଂ ଏହା ପଛରେ ରହିଛି ଏକ ବଡ଼ ଧରଣର କେନ୍ଦୁପତ୍ର ଦୁର୍ନୀତି ଓ ରାଜସ୍ୱ ହରିଲୁଟ୍ର ଅଭିଯୋଗ। ସରକାରୀ ସ୍ତରରେ ୧୦୦ ବିଡା ପତ୍ରକୁ ବୋନସ୍ ମିଶାଇ ୨୪୦ ଟଙ୍କା ମିଳୁଥିବା ବେଳେ ବେସରକାରୀ କମ୍ପାନୀମାନେ ସିଧାସଳଖ ୬୦୦ ଟଙ୍କା ଦେଇ ପତ୍ର ତୋଳାଳୀଙ୍କୁ ଆକୃଷ୍ଟ କରୁଛନ୍ତି। ପତ୍ର ଅଭାବରୁ ଜୟପାଟଣା, ରେଙ୍ଗାଳପାଲି, ପଣ୍ଡିଗାଁ ଓ ବିଜମରା ସେକ୍ସନର ୫୨ଟି ଫଡ଼ି ମଧ୍ୟରୁ ୫ଟି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲାଣି, ଯାହାଫଳରେ ଶତାଧିକ କର୍ମଚାରୀ ବେକାର ହୋଇପଡିଛନ୍ତି।ବିନା କୌଣସି ବୈଧ ଜିଏସ୍ଟି ରେ ବେଧଡକ ଭାବେ କେନ୍ଦୁପତ୍ର ଚାଲାଣ ହେଉଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ଦଲାଲମାନେ ଗାଁ ଗାଁରେ ସକ୍ରିୟ ଥିଲେ ମଧ୍ୟ ଜଙ୍ଗଲ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ସବୁ ଜାଣି ନଜାଣିଲା ପରି ରହିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଦାବି ପୂରଣ ନହେବାଯାଏଁ କର୍ମଚାରୀ ମାନେ ଧାରଣାରେ ରହିବେ ବୋଲି ସ୍ପଷ୍ଟ କରିଥିବା ବେଳେ ସରକାର ଏ ନେଇ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ହିଁ ଦେଖିବାକୁ ବାକି ରହିଲା।

