କୋକସରା/କ୍ରାନ୍ତିକ୍ଷେତ୍ର : ଦିନ କୁ ଦିନ ସାହାଜଖୋଳ ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆଙ୍କ ଉତ୍ପାତ ଓ ପୋଡୁଚାଷ ପାଇଁ ମକା ମାଫିଆଙ୍କ ପାଇଁ ହାଜର ହଜାର ଗଛ କାଟି ପଦା ହେବାରେ ଲାଗିଛି। ଏଣେ ଶିକାରୀ ମାନଙ୍କ ପାଦୁର୍ଭାବ ଯୋଗୁଁ ବନ୍ୟଜନ୍ତୁ ମାନେ ହିଂସ୍ର ହେବାରେ ଲାଗୁଛନ୍ତି। ଏଥିଯୋଗୁଁ ଜୀବନ ବିକଳରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ବନ୍ୟପ୍ରାଣୀ। ଯାହା ଫଳରେ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି। ବୁଧବାର କୋକସରା ଥାନା ଅନ୍ତର୍ଗତ ଧଅଁରପୁର ପଞ୍ଚାୟତ ଭାଲୁଚୁଆଁ ଗ୍ରାମରେ ଜଣେ ଚାଷ ଜମି କୁ ଯାଇଥିବା ବ୍ୟକ୍ତିଙ୍କ ଅମୁଲ୍ୟ ଜୀବନ ଭାଲୁ ଆକ୍ରମଣରେ ଚାଲି ଯାଇଛି। ମୃତକ ହେଲେ ଭାଲୁଚୁଆଁ ଗାଁର ଜୟରାମ ଜାଲ(୪୭)। ସେ’ ବୁଧବାର ଦିନ ସକାଳୁ ସାହଜଖୋଳ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ତାଙ୍କ ଚାଷ ଜମିକୁ ଯାଇଥିଲେ। ମଧ୍ୟାହ୍ନ ପରେ ମଧ୍ୟ ଜୟରାମ ଘର କୁ ନ ଫେରିବାରୁ ପରିବାର ଲୋକେ ବିଳ ନିକଟ କୁ ଖୋଜିବାକୁ ଯାଇଥିଲେ। ତେବେ ଚାଷଜମି ନିକଟରେ ତାଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଲିଥିଲା। ତାଙ୍କ ଦେହ ସାରା ଭାଲୁ ଆକ୍ରମଣ କରିଥିବା ଅନେକ ଚିହ୍ନ ଦେଖି ପରିବାର ଲୋକେ ବେହେରା ବନ ବିଭାଗ କୁ ଖବର ଦେବା ସହିତ କୋକସରା ଥାନା କୁ ମଧ୍ୟ ଜଣାଇଥିଲେ। ଏହାପରେ କୋକସରା ଥାନା ପୋଲିସ ସମେତ ବନ ବିଭାଗ ପକ୍ଷରୁ ଧର୍ମଗଡ଼ ରେଞ୍ଜ ଅଫିସର ଭାବାନୀ ଶଙ୍କର କାଉଁର, ବେହେରା ବନପାଳ ରାଜେନ୍ଦ୍ର ନାଏକ ଓ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେଠାରେ ପୋଲିସ ଓ ବନ ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ଶବ ଜବତ କରାଯାଇଥିଲା। ଏବଂ ବ୍ୟବଛେଦ ପାଇଁ କୋକସରା ମେଡ଼ିକାଲ କୁ ପଠାଇ ଦିଆଯାଇଥିଲା। ଗୁରୁବାର ଶବ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଭାଲୁ କିମ୍ବା ଅନ୍ୟ ବନ୍ୟଜନ୍ତୁ ଗତିବିଧି କରୁଥିବା ରାସ୍ତାରେ ବନ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଜନ ସାଧାରଣରେ ଦାବି ହୋଇଛି। ଏ ବିଷୟରେ ବେହେରା ସେକ୍ସନ ଫରେଷ୍ଟର ରାଜେନ୍ଦ୍ର ନାଏକଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି, ମୃତକଙ୍କ ପରିବାର କୁ ସରକାରୀ ହିସାବରେ ଯାହା ସହାୟତା ରହିଛି ଯୋଗେଇଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।

