ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ସରକାରୀ ଯୋଜନା କୋଟି କୋଟି, କିନ୍ତୁ ଗର୍ଭବତୀଙ୍କ ପାଇଁ ଖଟିଆ ହିଁ ଭରସା। ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଚିତ୍ର। ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଧଅଁରପୁର ପଞ୍ଚାୟତ ମାଳପଡାର। ଗ୍ରାମର ଦେବାନନ୍ଦ ମାଝୀଙ୍କ ସ୍ତ୍ରୀ ଲଳିତା ମାଝୀଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ବର୍ଷା ଯୋଗୁଁ ରାସ୍ତା କାଦୁଅ ହୋଇଥିବାରୁ ଆମ୍ବୁଲାନ୍ସଟି ଗାଁ ପର୍ଯ୍ୟନ୍ତ ଆସିପାରିଲାନି। ଆଉଅଟକି ରହିଲା ଗୋଟିଏ କିଲୋମିଟର ଦୂରରେ ଆମ୍ବୁଲାନ୍ସ। ନିରୁପାୟ ହୋଇ ପରିବାର ଲୋକେ ଖଟିଆରେ ଲଳିତାଙ୍କୁ ଶୁଆଇ ଆଶା କର୍ମୀଙ୍କ ସହାୟତାରେ କାଦୁଅ ପଚପଚ ରାସ୍ତାରେ ବୋହି ନେଇଥିଲେ।
ଭିଡିଓ ଦେଖିବା ପାଇଁ ଏଠି ଟଚ୍ କରନ୍ତୁ
ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଏହି ଯନ୍ତ୍ରଣାଦାୟକ ଯାତ୍ରା ପରେ ସେମାନେ ଆମ୍ବୁଲାନ୍ସ ପାଖରେ ପହଞ୍ଚି ମେଡିକାଲ କୁ ନେଇଥିଲେ। ଏହା କୌଣସି ନୂଆ ଘଟଣା ନୁହେଁ। ଗତବର୍ଷ ମଧ୍ୟ ଏହି ଗାଁରେ ଏମିତି ହିଁ ଘଟିଥିଲା। କିନ୍ତୁ ବାରମ୍ବାର ଏପରି ଦୃଶ୍ୟ ସାମ୍ନାକୁ ଆସୁଥିଲେ ମଧ୍ୟ ସ୍ଥାନୀୟ ଜନପ୍ରତିନିଧି କି ପ୍ରଶାସନ କାହାରି ନଜର ପଡୁନାହିଁ। ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ପାଖରେ ଏହି ମାଳପଡ଼ା ଆଜି ବି ଅବହେଳିତ ଅବସ୍ଥାରେ ରହିଯାଇଛି। କେବେ ବଦଳିବ ଏହି ଗାଁର ଚିତ୍ର? କେବେ ମିଳିବ ଉତ୍ତମ ରାସ୍ତା? ସରକାରଙ୍କ କୋଟି କୋଟି ଟଙ୍କା କେଉଁଠି ଖର୍ଚ୍ଚ ହେଉଛି, ଯଦି ଜଣେ ଗର୍ଭବତୀଙ୍କ ପାଇଁ ଗୋଟିଏ ରାସ୍ତା ତିଆରି ହୋଇପାରୁନାହିଁ? ତେବେ ଏହା ଡିଜିଟାଲ୍ ଇଣ୍ଡିଆର କାଦୁଅ ଭରା ସତ ବୋଲି ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି।

