କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : “ରହିନାହିଁ କେହି ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ” କଲମପୁର ବ୍ଲକର ଜଣେ ସଚ୍ଚୋଟ, ପରୋପକାରୀ, ମିଷ୍ଟଭାସି, ନିର୍ଭୀକ ଓ ନିରଳସ ସମାଜସେବୀ, ସଂଗଠକ ତଥା ସାମ୍ବାଦିକ ସ୍ବର୍ଗତ ଶରତ ଚନ୍ଦ୍ର ସୁନାନୀଙ୍କ ଗତ ୨୩ ତାରିଖ ଦିନ ସକାଳେ ହୃଦଘାତରେ ଦେହାନ୍ତ ହୋଇଥିଲା। କଲମପୁର ପ୍ରେସ୍ କ୍ଲବ ପକ୍ଷରୁ ସ୍ବର୍ଗତ ସୁନାନୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ଦିନ ପଞ୍ଚାୟତ ସମିତି ପରିସରର ମିଶନ ଶକ୍ତି ସଭାଗୃହ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ସିଡିପିଓ ନିର୍ବାସିନୀ ଦେଇ, ପୋଲିସ ଏସ ଆଇ ଶିବଶଙ୍କର ମହାନ୍ତି, କଲମପୁର ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ଗୋଷ୍ଠୀ କୃଷି ଅଧିକାରୀ ଅଜୟ ବେମାଲ ତଥା ଜନମଙ୍ଗଳ ଅଧିକାରୀ ଆଶିଷ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ସୁନାନୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଅମର ଆତ୍ମାର ସମ୍ମାନାର୍ଥେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରି ଶ୍ରଦ୍ଧାଞ୍ଜଳୀ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସମସ୍ତ ଅତିଥି ଏବଂ ସାମ୍ବାଦିକ ମାନେ ଶ୍ରୀ ସୁନାନୀଙ୍କ ସ୍ମୃତି ଚାରଣ କରି ସ୍ବର୍ଗୀୟ ଆତ୍ମାର ସଦଗତି କାମନା କରିଥିଲେ। ଶରତଙ୍କ ଧର୍ମପତ୍ନୀ ବିଳାସିନି ସୁନାନୀ ଏବଂ ତାଙ୍କ ତିନି ଝିଅ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ବିଳାସିନୀଙ୍କୁ ଶରତଙ୍କ ଏକ ମରଣୋତ୍ତର ସମ୍ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଏଲ୍ ଟି ନୀଳକଣ୍ଠ ନାଏକ ଓ ସମାଜସେବୀ ସେନାପତି ନାଏକ ସମବେଦନା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମଟିକୁ ସମାଜସେବୀ ଶିବ ପ୍ରସାଦ ମହାରଣା ପରିଚାଳନା କରିଥିବା ବେଲେ ବରିଷ୍ଠ ସାମ୍ବାଦିକ ଚକ୍ରଧର ନାଏକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

