ପ୍ରତିଶ୍ରୁତି ପୁରଣ କଲେ ସିଡିଓ , ବାଣ୍ଟିଲେ ଅନ୍ତୋଦୟ ଗୃହର କାର୍ଯ୍ୟାଦେଶ 

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର :  କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ପଞ୍ଚାୟତର ଦୁର୍ଗମ କେନ୍ଦୁଗୁଡା ଗ୍ରାମବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପ୍ରଶାସନ ପକ୍ଷରୁ ସଫଳତାର ସହିତ ପୂରଣ କରାଯାଇଛି। ବୁଧବାର ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ “ଅନ୍ତୋଦୟ ଗୃହ ଯୋଜନା ୨୦୨୬-୨୭” ଅଧୀନରେ ୯ ଜଣ ହିତାଧିକାରୀଙ୍କୁ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଗତ ମାସ ୪ ତାରିଖରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଓ ଆଇଏଏସ୍ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ ଦୁର୍ଗମ ପାହାଡ଼ିଆ ଅଞ୍ଚଳକୁ ପଦଯାତ୍ରା କରି କେନ୍ଦୁଗୁଡା, କନ୍ଦାଗୁଡା ଓ ଦେର୍ଲାଠି ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ଗ୍ରାମବାସୀଙ୍କ ଦୁରବସ୍ଥାକୁ ନିକଟରୁ ଅନୁଭବ କରି ସେମାନଙ୍କୁ ସରକାରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତିକୁ କାର୍ଯ୍ୟରୂପ ଦେଇ ଅତ୍ୟଳ୍ପ ସମୟ ମଧ୍ୟରେ ବ୍ଲକ ପ୍ରଶାସନ ହିତାଧିକାରୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି କାର୍ଯ୍ୟାଦେଶ ବଣ୍ଟନ କରିବାରେ ସଫଳ ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ କାର୍ଯ୍ୟାଦେଶ ବଣ୍ଟନ ସହ “ଶପଥ ଗ୍ରହଣ ଉତ୍ସବ” ମଧ୍ୟ ଆୟୋଜିତ ହୋଇଥିଲା। ହିତାଧିକାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଘର ନିର୍ମାଣ କାମ ସମାପ୍ତ କରିବାକୁ ଶପଥ ନେଇଥିଲେ। କାର୍ଯ୍ୟକ୍ରମରେ ଏପିଡି (ଆବାସ ଯୋଜନା) ଅମୂଲ୍ୟ କୁମାର ବାଉଳ, ପିଇଓ ବସିଷ୍ଠ ଶବର, ବିପିସି ରାଜେନ୍ଦ୍ର ନାରାୟଣ ଦେବ, ବିଏସଏସଓ ସୁନାରାମ ସୋରେନ୍ ଓ ଜିଆରଏସ ବୈକୁଣ୍ଠ ଦିଶାରି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *