ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ହରିହର ସାଗର ବଂଚାଅ ସଂଗ୍ରାମ ସମିତିର ବିଶାଳ ଜନ ଆନ୍ଦୋଳନ ଓ କ୍ଷୁଦ୍ର ଜଳ ସେଚନ ବିଭାଗ କାର୍ଯ୍ୟାଳୟ ଘେରାଉ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ପ୍ରଥମେ ଜନ ଆନ୍ଦୋଳନ ପାଇଁ ଜନ ସମାବେଶ ଅନୁଷ୍ଠିତ ହୋଇ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ମ, ରାମପୁର ବ୍ଲକର ପୂର୍ବତନ ଅଧକ୍ଷ ଜୀବେଶ ପଣ୍ଡା, ବିକାଶ ରଞ୍ଜନ ସିଂହଦେଓ, ପ୍ରଶାନ୍ତ ସାମନ୍ତରା,ରଶ୍ମି ରଂଜନ ପ୍ରହରାଜ, ସତ୍ୟ ନାରାୟଣ ସାହୁ, ଭଗବାନ ଭୋଇ, ରୁଦ୍ର ପ୍ରତାପ ସିଂହ, ପ୍ରକାଶ ଚନ୍ଦ୍ର ମାଝୀ,ଉଦ୍ଧବ ପଣ୍ଡା, ସତ୍ୟଜିତ ଚଟାର୍ଜି,ଚମରା ବଗର୍ତ୍ତୀ, ଯଜ୍ଞସେନ ପଣ୍ଡା, ଚିରାଗ ସିଂହଦେଓ, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ସିଂ, ଦେବେନ୍ଦ୍ର ମହାନ୍ତି, ପପୁ ଅଗ୍ରୱାଲ, ପ୍ରତିମା ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ଶହ ଶହ ସଚେତନ ଜନ ସାଧାରଣ ଉପସ୍ଥିତ ରହି ଥିଲେ। କ୍ଷୁଦ୍ର ଜଳ ସେଚନ ବିଭାଗ ର ଏସଡିଓ ଙ୍କୁ ସଂଗ୍ରାମ ସମିତି ତରଫରୁ ଦାବି ପତ୍ର ପ୍ରଦାନ କରା ଯାଇଥିଲା। ପ୍ରତିଶ୍ରୁତି ସ୍ବରୂପ ଏକ ମାସ ଭିତରେ ସାଗରରେ ଥିବା ଅଜଣା ଲତା, ଦଳ ଆଦି ସଫା କରାଯିବ ଏବଂ ଆଗାମୀ ଦିନରେ ଏହାର ପୁନଃରୁଦ୍ଧାର ସହିତ ସୌନ୍ଦର୍ଯ୍ୟ କରଣ କରାଯିବ ବୋଲି କହିଥିଲେ। ଏହା କରା ନ ଗଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ସଂଗ୍ରାମ ସମିତି କହିବା ସହିତ, ଯୋଉ ହୋଟେଲ, ଘର ମାଲିକ ମାନେ ନିଜ ମଇଳା ପାଣି କୁ ସାଗର ରେ ନିଷ୍କାସନ କରେଇଛନ୍ତି, ସେମାନଙ୍କୁ ନୋଟିସ କରା ଯାଇ, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଦାବି ପତ୍ର ପ୍ରଦାନ ପରେ ସଂଗ୍ରାମ ସମିତି ସଦସ୍ୟ ମାନଙ୍କ ସହିତ ବିଡ଼ିଓ ଶରତ କୁମାର ସେଠୀ, ତହସିଲଦାର ମୀମାଂସା ସାହୁ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ବଳ ବିନ୍ଦର ସିଂ ଯାଦବ, ଥାନାଧିକାରୀ, ଏମ ଆଇ ଏସ ଡି ଓ ପ୍ରମୁଖ ହରି ହର ସାଗର ପରିଦର୍ଶନ କରିଥିଲେ। ଏଠାରେ ସୂଚନା ଥାଉ କି :କଳହାଣ୍ଡି ଜିଲ୍ଲାର ଅନ୍ୟତମ ଐତିହାସିକ ଜଳାଶୟ ହରିହର ସାଗର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଶହେ ଏକର ବିଶିଷ୍ଠ ଏହି ସାଗର ମ.ରାମପୁର ସହରର ମୁଖ୍ୟ ଆକର୍ଷଣ। ଏକଦା ପ୍ରାୟ ତିନି ଦଶନ୍ଧି ପୂର୍ବ ସମୟ ଯାଏଁ ମ.ରାମପୁରର ଜନସାଧାରଣ କେବଳ ଏହି ସାଗରରେ ସ୍ନାନ ନୁହେଁ ଏହି ସାଗରର ପାଣିକୁ ରୋଷେଇ,ପିଇବା ଆଦି ପାଇଁ ବ୍ୟବହାର କରୁଥିଲେ। କିନ୍ତୁ ଗତ ପ୍ରାୟ କୋଡ଼ିଏ ବର୍ଷ ହେଲା ଏହି ସାଗର କ୍ରମଶଃ ସହରର ବିଭିନ୍ନ ହୋଟେଲର ମଇଳା ପାଣି, ସାଗର ଉପକଣ୍ଠସ୍ଥ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପାଇଖାନା ପାଣି ଉକ୍ତ ସାଗରର ନିଷ୍କାସନ କରିବା ଭଳି ଦୁଷ୍କର୍ମରେ ଲିପ୍ତ ରହି ଏହି ଭଳି ଏକ ସାଗରକୁ ଆବର୍ଜନା କୁଣ୍ଡରେ ପରିଣତ କରିସାରିଲେଣି। ଏହି ଆନ୍ଦୋଳନ ରେ ହରିହର ସାଗରକୁ ବ୍ୟବହାର କରୁଥିବା ତଳସାଗରପଡ଼ା, ଶୁଣ୍ଢିପଡ଼ା, ପାଇକପଡ଼ା, ଗୌଡ଼ପଡ଼ା, ମ.ରାମପୁର ସହରବାସୀ ସମର୍ଥନ ପୂର୍ବକ ସ୍ୱତଃପ୍ରବୃତ୍ତ ଭାବେ ବିପୁଳ ସମର୍ଥନ ଜଣେଇ ଥିଲେ।

