ଅନ୍ନଦାତାଙ୍କ ଆକ୍ରୋଶ ; ଏନ୍ଏଚ-୨୬ ଅବରୋଧ

କ୍ରାନ୍ତିକ୍ଷେତ୍ର ବ୍ୟୁରୋ : ଜମିକୁ ପାଣି ମିଳିଲା, କଷ୍ଟ କରି ଚାଷୀ ସୁନା ଫଳାଇଲା। ହେଲେ ବିକ୍ରି ବେଳକୁ ସରକାର ପଞ୍ଜିକରଣ ନକରି ଚାଷୀଙ୍କୁ ପ୍ରତାରଣା କଲେ। ବାରମ୍ବାର ଦାବିପତ୍ର, ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ହଜାର ହଜାର ଚାଷୀ ରବିଧାନ ବିକ୍ରୀ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି। ସରକାରୀ ଅବହେଳା ଏବଂ ପ୍ରଶାସନିକ ସ୍ଥାଣୁତା ପ୍ରତିବାଦରେ ଶୁକ୍ରବାର ଅନ୍ନଦାତାଙ୍କ ଆକ୍ରୋଶ, ରାଜରାସ୍ତାରେ ଗର୍ଜନ ଛୁଟିଛି। ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ଚାଷୀ ସଂଘର ଆହ୍ୱାନ କ୍ରମେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ କୋକସରା ଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଚାଷୀମାନେ ସମ୍ପୂର୍ଣ୍ଣ ଅବରୋଧ କରିଥିଲେ। ଯାହା ଫଳରେ ଭବାନୀପାଟଣା-ଜୟପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଶୁକ୍ରବାର ସକାଳ ୬ଟା ସମୟରୁ ଚାଷୀଙ୍କ ଏହି ଗର୍ଜନ ଆଗରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ସ୍ଥାଣୁ ହୋଇଯାଇଛି। ସଂଘର ସଭାପତି ପୁରୁଷୋତ୍ତମ ଦାସ ଗୁପ୍ତାଙ୍କ ସଭାପତିତ୍ବରେ ରାଜରାସ୍ତା ଉପରେ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ହଜାର ହଜାର ଚାଷୀ ଓ ଚାଷୀନେତା ମାନେ ଯୋରଦାର ପ୍ରତିବାଦ କରି ସରକାରଙ୍କୁ ଜବାବ ମାଗିଛନ୍ତି। ଆନ୍ଦୋଳନ କୁ ବିଜେଡ଼ି, କଂଗ୍ରେସ, ଓଡ଼ିଶା ଜନତା କଂଗ୍ରେସ ଦଳ ସମେତ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି। ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ପୂର୍ବତନ ବିଧାୟକ ମୌଷଧି ବାଗ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ଜନତା କଂଗ୍ରେସ ଦଳର ନେତା ମଧୁ ମହାନ୍ତି, ସଂଗ୍ରାମୀ ନେତା ଦିଗାମ୍ବର ଦୁରୀଆ, ବିଜେଡି ନେତା ବଦ୍ରି ନାରାୟଣ ପଟ୍ଟନାୟକ, ସନ୍ତୋଷ ପାଢ଼ୀ, ଡାକେଶ୍ବର ଲହଜଲ, ପ୍ରଶାନ୍ତ ତିୱାରୀ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇ ସରକାର ବିରୋଧରେ ଜୋରଦାର ଗର୍ଜିଥିଲେ। ଏଥି ସହିତ ଚାଷୀଙ୍କ ଦାବି ପୂରଣ ନହେଲେ ସରକାରୀ ଦଳର ବିଧାୟକ, ନେତା ମାନଙ୍କୁ ଗାଁରେ ପୁରାଇ ଦେବୁନାହିଁ, ପ୍ରତ୍ୟେକ ସ୍ଥାନରେ ବିରୋଧ କରାଯିବ ବୋଲି କଡ଼ା ଚେତାବନୀ ଦେଇଥିଲେ। ଅନ୍ୟପଟେ ଚାଷୀ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେପର୍ଯ୍ୟନ୍ତ ସରକାର ଧାନ କ୍ରୟ ନେଇ ସ୍ପଷ୍ଟ ନିଷ୍ପତ୍ତି ନ ନିଅନ୍ତି, ସେପର୍ଯ୍ୟନ୍ତ ଏହି ରାଜପଥ ଅବରୋଧ ଓ ଆନ୍ଦୋଳନ ବଳବତ୍ତର ରହିବ ବୋଲି କୁହାଯାଇଛି। ଅନ୍ୟପଟେ ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇ ଚାଷୀ କାନ୍ଦୁଥିବାବେଳେ ସ୍ଥାନୀୟ ବିଧାୟକଙ୍କୁ ଚାଷୀଙ୍କ ଲୁହ ଦିଶୁ ନାହିଁ, ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ବିଜୟକୁ ନେଇ ମିଠା ବାଣ୍ଟିବାରେ ବ୍ୟସ୍ତ ରହୁଥିବା କହି କିଛି ଅସନ୍ତୋଷ ଚାଷୀ ତିବ୍ର ସମାଲୋଚନା କରିଛନ୍ତି।

ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଧବଲେଶ୍ୱର ନାଗ, ଭୁବନେଶ୍ୱର ମାଝୀ, ତ୍ରିଭୁବନ ନାଏକ, ରତନ ନାଏକ, ରାଜେନ୍ଦ୍ର ନାଏକ, ଗୋବର୍ଦ୍ଧନ ବାଗ, ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ନବୀନ ନାଏକ, ଜୟଲାଲ ନାଏକ, ସୁଶାନ୍ତ ବେହେରା, ପଞ୍ଚକ ପୋଡ଼, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ଶ୍ରୀନିବାସ ପ୍ରଧାନୀ, ପଙ୍କଜ ମୁଖ ଚୈଧୁରୀ, ରବିନାରାୟଣ ଦାସ, ଦୁର୍ଗା ନାଏକ ସମେତ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ହଜାର ହଜାର ପୁରୁଷ ଓ ମହିଳା ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନ ପୁର୍ବରୁ ପିକେଟିଂ କରାଯାଇ ବ୍ଳକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ ସମେତ ବିଭିନ୍ନ କାର୍ଯ୍ୟାଳୟ କୁ ଯାଇ ବନ୍ଧ କରିଥିଲେ।

ତେବେ ସକାଳ ୬ଟା ଠାରୁ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୪ଟା ସୁଦ୍ଧା ଆନ୍ଦୋଳନ ସ୍ଥଳରେ କୋଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିଲେ। ଯାହା ଫଳରେ ଚାଷୀମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଉପରେ ବସି ରହିବା ନେଇ ନିଷ୍ପତ୍ତି କରିଛନ୍ତି। ପ୍ରକାଶ ଯେ’ ଚଳିତ ରବି ଋତୁରେ ଇନ୍ଦ୍ରାବତୀ ମେଗା ଲିଫ୍ଟ ଜଳ ସେଚନ ଜରିଆରେ ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକର ୧୨ ହଜାର ରୁ ଉର୍ଦ୍ଧ ଚାଷୀ ୧୮,୮୮୫ ହେକ୍ଟର ଚାଷଜମିରେ ଚାଷ କରିଛନ୍ତି। ଅନ୍ୟ ଅଞ୍ଚଳ ପାଇଁ ପି-ପାସ୍ ପୋର୍ଟାଲ୍ ଖୋଲା ଯାଇଥିବା ବେଳେ ମେଗା ଲିଫ୍ଟ ପ୍ରକଳ୍ପ ଅଧୀନରେ ଥିବା ଚାଷୀଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିବା ଓ ବାରମ୍ବାର ପଞ୍ଜିକରଣ ବ୍ୟବସ୍ଥା କରିବା ପାଇଁ ଦାବି କରିବା ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର ପକ୍ଷରୁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ। ଯାହାକୁ ନେଇ ଅନ୍ନଦାତାଙ୍କ ଆକ୍ରୋଶ ବଢ଼ିଥିବାବେଳେ ଜାତୀୟ ରାଜପଥ ଉପରେ ଆନ୍ଦୋଳନ କରି ସରକାରଙ୍କୁ ଜବାବ ମାଗିଛନ୍ତି ହଜାର ହଜାର ଚାଷୀ।

Leave a Reply

Your email address will not be published. Required fields are marked *